କଟକ: ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଶ୍ବସ୍ତି । ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକଙ୍କୁ ଜାମିନ ମଞ୍ଜୁର କଲେ ଓଡ଼ିଶା ହାଇକୋର୍ଟ । ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଭୁବନେଶ୍ବର ଏଡିଜେ କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ସେ ଆଜୀବନ କାରାଦଣ୍ଡାଦେଶ ପାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ଭୁବନେଶ୍ବର ସ୍ଥିତ ସରକାରୀ କ୍ବାର୍ଟରରେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା ।
ରାମମୂର୍ତ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ସ୍ବତନ୍ତ୍ର କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ । ଆଇପିସିର ଧାରା ୩୦୨ରେ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଥିଲା । ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ । ସେହିପରି ଧାରା ୨୦୧ରେ ୩ ବର୍ଷ ଜେଲ୍ ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନାରେ ମଧ୍ୟ ଦଣ୍ଡିତ କରିଥିଲେ କୋର୍ଟ । ଜରିମାନା ଦେଇନପାରିଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ରହିଥିଲା ।
ଏହାମଧ୍ୟ ପଢନ୍ତୁ: ସରକାରୀ କ୍ବାଟରରେ ପତ୍ନୀ ହତ୍ୟା ମାମଲା; ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ଆଜୀବନ ସଜ୍ଜା
୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସେଦିନ ଗଣେଶ ପୂଜା ଥିଲା । ପୂଜା ପାଇଁ ରାଜଧାନୀ ଉତ୍ସବ ମୁଖର ଥିବାବେଳେ ଘଟଣା ଘଟିଥିଲା । ସକାଳ ପ୍ରାୟ ୧୧ଟା ମଧ୍ୟରେ ରାମମୂର୍ତ୍ତି ଗମାଙ୍ଗ ଖାରବେଳ ନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ଯେ, ଗାଧୁଆ ଘରେ ତାଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିରହିଛି । ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ପତ୍ନୀ ଗର୍ଭବତୀ ଥିଲେ ଏବଂ ପତ୍ନୀଙ୍କୁ ମର୍ଣ୍ଣିଂୱାର୍କ କରିବାକୁ ପରାମର୍ଶ ଦେବାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଘଟଣା ଦିନ ସକାଳେ ମଧ୍ୟ ସେମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ଶଶିରେଖା ବାଥରୁମ୍ରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଚିତ୍କାର ଶୁଣି ସେ ଆସିବା ବେଳକୁ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ପାଇଥିଲେ ବୋଲି ପୋଲିସକୁ କହିଥିଲେ ପୂର୍ବତନ ବିଧାୟକ ।
ପୋଲିସ ତଦନ୍ତରୁ ଜଣାପଡିଥିଲା ଯେ, ଶଶିରେଖା ଗମାଙ୍ଗଙ୍କର ଦ୍ବିତୀୟ ପତ୍ନୀ ହୋଇଥିବା ଯୋଗୁଁ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଆତ୍ମହତ୍ୟା ନୁହେଁ ବରଂ ଏହା ହତ୍ୟାକାଣ୍ଡ ବୋଲି ଜଣାପଡ଼ିବା ପରେ ପୂର୍ବତନ ବିଧାୟକ ଗମାଙ୍ଗଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିଲା । ପ୍ରାୟ ଦୁଇ ମାସ ଜେଲ୍ରେ ରହିବା ପରେ ସେହିବର୍ଷ ନଭେମ୍ବର ୧ରେ ସେ ଜାମିନରେ ମୁକୁଳିଥିଲେ । ଏହାପରେ ମାମଲାର ଶୁଣାଣି ଚାଲିଥିଲା । ରାଜ୍ୟର ଏମପି/ଏମଏଲ୍ଏଙ୍କ ବିରୋଧରେ ରୁଜୁ ହେଉଥିବା ମାମଲାର ଶୁଣାଣି ପାଇଁ ଭୁବନେଶ୍ବରଠାରେ ସ୍ବତନ୍ତ୍ର କୋର୍ଟ ସ୍ଥାପନ ହେବା ପରେ ମାମଲା ସେଠାକୁ ସ୍ଥାନାନ୍ତର ହୋଇଥିଲା । ପ୍ରାୟ ବର୍ଷେ ଧରି ମାମଲାର ଶୁଣାଣି ଚାଲିଥିଲା ତେବେ ଅଭିଯୁକ୍ତ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ଇଟିଭି ଭାରତ, କଟକ