ନିଆଳି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଓଡ଼ଖଣ୍ଡ ମହାପାତ୍ର ସାହିରେ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷ ପରସ୍ପରକୁ ମାରଣାସ୍ତ୍ର, ଶାବଳ, ଲୁହା ରଡ଼, ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷରୁ ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ବାଲିପାଟଣା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଗୁରୁତରମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁସାରେ, ଓଡ଼ଖଣ୍ଡ ମହାପାତ୍ର ସାହିରେ ଜମିବାଡ଼ିକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା । ବିବାଦୀୟ ଜାଗାରୁ ଗୋଟିଏ ଗୋଷ୍ଠୀ ଆଜି ଦିନରେ ମାଟି ଉଠାଇବାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଶେଷରେ କଥା ଥାନା ପର୍ଯ୍ୟନ୍ତ ଆସିଥିଲା | ଉଭୟ ପକ୍ଷଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା । ସେଠାରୁ ଫେରିବା ପରେ ବିଳମ୍ବିତ ରାତିରେ ପ୍ରଥମେ ଗାଳି ଗୁଲଜ ଓ ପରେ ମାରପିଟ ହୋଇଥିଲେ । ଘଟଣାସ୍ଥଳରେ ବାଲିପାଟଣା ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି ।