କଟକ: ୨୦୧୫ ମସିହାରେ ବ୍ରାହ୍ମଣଝରିଲୋ ବଜାରରେ ଘଟିଥିବା ବହୁଚର୍ଚ୍ଚିତ ଠିକାଦାର ବିନୋଦ ବିହାରୀ ଦାସ ହତ୍ୟା ମାମଲା । ଗତକାଲି(ଶୁକ୍ରବାର) ରାୟ ଶୁଣାଇଛନ୍ତି ଅଦାଲତ । ଚାରି ଅଭିଯୁକ୍ତଙ୍କୁ ଅଦାଲତ ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି । କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଭିଜିତ ପଲାଇ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ନିଗମାନନ୍ଦ ଜେନା, ନିହାର ରଂଜନ ଦାସ, ସୁମନ କୁମାର ଦାସ ଓ ମାଧବ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ।
ନିଗମାନନ୍ଦକୁ ଆଇପିସିର ଦଫା ୩୦୨ ଓ ୧୨୦-ଖ’ରେ ଅଦାଲତ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ସହିତ ୨୦ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି । ସେହିପରି ଆଇପିସିର ଦଫା ୩୦୨, ୧୨୦-ଖ’, ୪୫୨, ୩୯୨, ଆର୍ମସ୍ ଆକ୍ଟର ଧାରା ୨୫, ୨୭ରେ ନିହାର, ସୁମନ ଓ ମାଧବଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି ଅଦାଲତ । ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ତରଫରୁ ୨୧ ଜଣ ଓ ଅଭିଯୁକ୍ତଙ୍କ ତରଫରୁ ୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସମସ୍ତ ତଥ୍ୟପ୍ରମାଣକୁ ବିଚାରକୁ ନେଇ ଅଦାଲତ ଚାରି ଅଭିଯୁକ୍ତ ଷଡଯନ୍ତ୍ର କରି ହତ୍ୟାକାଣ୍ଡ ଭିଆଇଥିବା କହିବା ସହିତ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।
ମାମଲାର ବିବରଣୀରୁ ଜଣାପଡ଼ିଛି ଯେ ୨୦୧୫, ଡିସେମ୍ବର ୬ରେ କଟକ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ବଜାରରେ ଠିକାଦାର ବିନୋଦ ବିହାରୀ ଦାସଙ୍କୁ ସର୍ବସମ୍ମୁଖରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ । ଘଟଣା ଦିନ ବିନୋଦ ବ୍ରାହ୍ମଣଝରିଲୋକୁ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ । ସେ ଗାଡିରୁ ଓହ୍ଲାଇ ବାଜର ନିକଟରେ ଠିଆ ହୋଇଥିବା ବେଳେ ତାଙ୍କ ଉପରେ ଗୁଳି ମାଡ କରାଯାଇଥିଲା । ଦୁର୍ବୃତ୍ତମାନେ ପାଖରେ ଥିବା ମଦ ଦୋକାନରୁ ମଦ ପିଇବା ପରେ ବିନୋଦଙ୍କ ପାଖକୁ ଯାଇ ନିକଟରୁ ଗୁଳି ଚଳାଇଥିଲେ । ଏହାପରେ ଚାରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାଇ ହୋଇ ଯାଇଥିଲେ ।
ବିନୋଦଙ୍କୁ ତାଙ୍କ ଡ୍ରାଇଭର ତୁରନ୍ତ ଗାଡ଼ିରେ କଟକର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିନୋଦଙ୍କ ଭାଇ ରାସବିହାରୀ ଦାସ ଏହି ହତ୍ୟାକାଣ୍ଡ ନେଇ ସଦର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବ୍ୟବସାୟିକ ଶତ୍ରୁତା କାରଣରୁ ବିନୋଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ୨୦୧୬ ଜାନୁଆରୀରେ ଏହି ପୋଲିସ ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ଏଥିରେ ବ୍ୟବହୃତ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲା ।
ଇଟିଭି ଭାରତ, କଟକ