କଟକ: କେଉଁଠି ନିର୍ବାଚନ ଲଢ଼ିବେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ? ଏନେଇ କିଛି ଦିନ ହେବ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଦେବାଶିଷ । ଇଟିଭି ଭାରତକୁ EXCLUSIVE ପ୍ରତିକ୍ରିୟା ଦେଇଛନ୍ତି ଦେବାଶିଷ । ସେ କଟକ ବାରବାଟୀରୁ ବିଧାୟକ ପାଇଁ ନିର୍ବାଚନ ଲଢ଼ିବେ ।
ପାରାଦ୍ବୀପରୁ ନିର୍ବାଚନ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଅମୂଳକ ବୋଲି ସେ କହିଛନ୍ତି । କୁହାଯାଉଥିଲା କି ଦେବାଶିଷ ଏଥର ପାରାଦ୍ବୀପରେ ବିଜେଡିରୁ ଟିକେଟ ପାଇ ନିର୍ବାଚନ ଲଢ଼ିବେ। ସମ୍ବିତ ରାଉତରାୟଙ୍କ ସ୍ଥାନରେ ଦେବାଶିଷଙ୍କୁ ଦଳ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଚର୍ଚ୍ଚା ହେବା ବି ସ୍ବାଭାବିକ କଥା । କାରଣ ସେ ପାରାଦ୍ବୀପରେ ବିଶାଳ ରାଲି କରି ବିଧାୟକ ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରିବା ଏକ ପ୍ରକାର ବାରି ହୋଇପଡୁଥିଲା ଯେ ଦେବାଶିଷ କଟକ ବାରବାଟୀରୁ ନୁହେଁ, ବରଂ ପାରାଦ୍ବୀପରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି। ମାତ୍ର ସେ ଆଜି ସ୍ପଷ୍ଟ କରିଛନ୍ତି କି ପାରାଦ୍ବୀପରେ ନିର୍ବାଚନ ଲଢ଼ିବାରେ କୌଣସି କାର୍ଯ୍ୟକ୍ରମ ନାହିଁ କିମ୍ଵା ସେଥିପାଇଁ ସେ ପ୍ରସ୍ତୁତ ନାହାନ୍ତି । ଏପରିକି ସେ କଟକ ଛାଡି କହିଁକି ପାରାଦ୍ବୀପରୁ ନିର୍ବାଚନ ଲଢ଼ିବେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।
କାହିଁକି ପାରାଦ୍ବୀପରେ ରାଲି କରିଥିଲେ ?
ମେ ୧ ତାରିଖରେ ଦେବାଶିଷ ସାମନ୍ତରାୟ ପାରାଦ୍ବୀପରେ ଏକ ବିଶାଳ ରାଲି କରିଥିଲେ । ଯାହାକି ବେଶ ଚର୍ଚ୍ଚାକୁ ଆସିଥିଲା । ନିଜର ସମର୍ଥକଙ୍କୁ ନେଇ ଏହି ରାଲି କରିବା, ରାଜନୀତି ସମୀକ୍ଷକଙ୍କ ହିସାବ କିତାବରେ ଭୁଲ ହୋଇ ଯାଇଥିଲା । ଅନେକ ସମୀକ୍ଷକ ଆକଳନ କରିଥିଲେ ଯେ ଦେବାଶିଷ ଏଥର ପାରାଦ୍ବୀପରେ ନିର୍ବାଚନ ଲଢ଼ିବେ। ମାତ୍ର ଏନେଇ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ଦେବାଶିଷ। ପ୍ରତ୍ୟେକ ବର୍ଷ ମେ ୧ ତାରିଖ ଅର୍ଥାତ ଲେବର ଡେ'ରେ ସେ ଏପରି ସମାବେଶରେ ଯୋଗ ଦେଇଥାନ୍ତି । ସେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଉପଦେଷ୍ଟା ରହିଥିବାରୁ ଯୋଗ ଦେଇଥାନ୍ତି।
ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ ଏବଂ ସାହସ ଦେବାକୁ ଏପରି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ଦେବାଶିଷ ସ୍ପଷ୍ଟ କରିଛନ୍ତି। କେବଳ ସେ ନୁହଁନ୍ତି, ପୂର୍ବତନ ସାଂସଦ କୁଳମଣି ସାମଲଙ୍କ ସମେତ ଅନେକ ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପୂର୍ବରୁ ସେଠାରେ ଲୋକମାନଙ୍କ ସହ ଭଲ ସମ୍ପର୍କ ରହିଥିବାରୁ ସେ ସେଠାରେ ଯୋଗ ଦେଇଥାନ୍ତି । ତାଙ୍କର ସମସ୍ତଙ୍କ ସହ ଭଲ ସମ୍ପର୍କ ରହିଛି। ତେଣୁ ସେଠାରେ ଏଭଳି ସମାବେଶ ଆୟୋଜନ କରାଯାଇଥାଏ ଏବଂ ସେଠାରେ ସେ ଯୋଗ ଦେଇଥାନ୍ତି ବୋଲି ଦେବାଶିଷ କହିଛନ୍ତି ।
ଏହା ବି ପଢନ୍ତୁ- ୬ମାସରେ କଳାହାଣ୍ଡିର ସମସ୍ତ ସ୍କୁଲ, କଲେଜ 5Tରେ ରୂପାନ୍ତରିତ ହେବ
କଟକରୁ ନିର୍ବାଚନ ଲଢ଼ିବେ ଦେବାଶିଷ !
କଟକ ବାରବାଟୀରୁ ଦେବାଶିଷ ସାମନ୍ତରାୟ ୨ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନରେ ସେ ଯଦିଓ ପରାଜିତ ହୋଇଥିଲେ ତାହା ଏକ ଭିନ୍ନ କାରଣ ପାଇଁ ପରାଜୟ ହୋଇଥିଲେ। ମାତ୍ର କଟକ ପାଇଁ ସେ ଅନେକ ଚିନ୍ତା କରିଛନ୍ତି । କଟକର ଉନ୍ନତିମୂଳକ କାର୍ଯ୍ୟକ୍ରମରେ ତାଙ୍କ ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବା ସେ କହିଛନ୍ତି । ସହରର ଉନ୍ନତି ପାଇଁ ସେ ଯେଉଁ ଚିନ୍ତା କରିଥିଲେ ତାହାର କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ସେ ପିଲାଟି ଦିନରୁ କଟକରେ ବଢିଛନ୍ତି । ବିଧାୟକ ଥିବା ସମୟରେ ଯେଉଁ ଉନ୍ନତିକରଣ କାର୍ଯ୍ୟ ହାତକୁ ନିଅନ୍ତି, ମୁଖ୍ୟମନ୍ତ୍ରୀ ମଧ୍ୟ ସମର୍ଥନ କରନ୍ତି । ସେ ପରାଜୟ ହେବା ପରେ ତାହାର ସମୀକ୍ଷା କରିଥିଲେ।
ଆଉ ଲୋକମାନଙ୍କ ପାଖରେ ସେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝୁଛନ୍ତି । କହିବାକୁ ଗଲେ କଟକ ବାରବାଟୀରେ ସେ ସଙ୍ଗଠନକୁ ଆହୁରି ମଜବୁତ କରୁଛନ୍ତି । କାରଣ କୋଭିଡ ସମୟରୁ ସେ ଲୋକଙ୍କ ସହ ଯୋଡି ହେଉଛନ୍ତି । ଗତ ମ୍ୟୁନିସପାଲଟି ନିର୍ବାଚନରେ ତାଙ୍କ ନେତୃତ୍ବରେ ଦଳ ଭଲ ପ୍ରଦର୍ଶନ କରିଥିଲା । ଏଥିଲାଗି କଟକ ବାରବାଟୀରେ ନିର୍ବାଚନ ଲଢ଼ିବାକୁ ତାଙ୍କୁ ବେଶ ସୁବିଧା ହେବ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ କଟକ ବ୍ୟତୀତ ଅନ୍ୟ କେଉଁଠି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦେବାଶିଷ ଆଜି ସ୍ପଷ୍ଟ କରିଛନ୍ତି।
ଇଟିଭି ଭାରତ, କଟକ