କଟକ: ଖାନନଗର ଠାରେ ନିର୍ମାଣଧିନ ବସ୍ ଟର୍ମିନାଲ ଓ କାଠଯୋଡ଼ି ରିଙ୍ଗ ବନ୍ଧର ସମ୍ପ୍ରସାରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କାଠଯୋଡି ନଦୀ ବନ୍ଧ ନିକଟରେ ରହିଥିବା ବସ୍ତିକୁ ଉଚ୍ଛେଦ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ 40ଟି ଘରକୁ ମହାନଗର ନିଗମ ଉଚ୍ଛେଦ କରିଛି । ମହାନଗର ନିଗମର ଏନଫୋରସ ମେଣ୍ଟ ଟିମ ଏବଂ ପୋଲିସ ଉପସ୍ଥିତିରେ ବସ୍ତି ଉଚ୍ଛେଦ କରାଯାଇଛି ।
ଏହା ପୂର୍ବରୁ ସିଏମସି ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ପ୍ରଥମ ପର୍ଯ୍ୟାୟରେ 40ଟି ପରିବାରକୁ କ୍ଷତି ପୂରଣ ବାବଦକୁ 50 ହଜାର ଟଙ୍କା ସହ ଜାଗା ଦିଆଯାଇଛି । ବର୍ତ୍ତମାନ ସେମାନେ 7 ଦିନ ପାଇଁ ରହିବା ଓ ଖାଇବା ପାଇଁ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି । ପରେ ତାଙ୍କୁ ଜାଗା ମିଶନରେ ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମେୟର । ସେ ଆହୁରି ମଧ୍ୟ କହିଛନ୍ତି, " ଖୁବଶୀଘ୍ର 6 ଲେନ ରାସ୍ତା ରିଙ୍ଗ ବନ୍ଧ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ତ୍ୱରିତ ଢଙ୍ଗରେ କାର୍ଯ୍ୟ ଆରମ୍ଭ କରାଯାଇଛି । ଅନ୍ୟପଟେ ବ୍ୟୟ ବହୁଳ ନେତାଜୀ ବସ ଟର୍ମିନାଲ ମଧ୍ୟ ଖୁବ ଶୀଘ୍ର ଉଦଘାଟନ ହେବ । ତେଣୁ ଏହାକୁ ନଜରରେ ରଖି ବସ୍ତି ଉଚ୍ଛେଦ କରି ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।"
କଟକ ପୁରୁଣା ବାଦାମବାଡି ବସ୍ଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଖାନନଗରରେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହି ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏଥିରେ ଏକ ବୃହତ ବସ ଟର୍ମିନାଲ , ସାଧାରଣ ଯାତ୍ରୀବାହୀ ବସ୍ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ୍ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍ , ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ଏହାସହ ବସ୍ ଟର୍ମିନାଲ ନିର୍ମାଣ କରାଯାଇ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, ଟିକେଟ ଗୃହ ଓ ଅନେକ ସୁବିଧା ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଟର୍ମିନାଲରେ ଏକ ସମୟରେ ୧୯୧ ବସ୍ ପାର୍କିଂର ବ୍ୟବସ୍ଥା କରାଯାଇଛି । କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଖୁବଶୀଘ୍ର ଏହାର ଶୁଭ ଉଦଘାଟନ କରାଯିବ ।
ଇଟିଭି ଭାରତ, କଟକ