କଟକ: ରାଜ୍ୟରେ ଛୁଇଁଲା ମୌସୁମୀ, ଆରମ୍ଭ ହେଲାଣି ବର୍ଷା । କଟକରେ ଜଳବନ୍ଦୀ ସମସ୍ୟା ଦେଖା ଦେବା ପୂର୍ବରୁ ସବୁ ନାଳକୁ ସଫା କରିବା ପାଇଁ ସିଏମସି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛି । ଟିକେ ନଜର ପକାନ୍ତୁ ଏହି ଦୃଶ୍ୟକୁ । କଟକରେ ଜଳବନ୍ଦୀ ସମସ୍ୟା ଏଡ଼ାଇବା ପାଇଁ ଜାରି ରହିଛି ଡ୍ରେନ ସଫା । ହେଲେ ଯିଏ ଡ୍ରେନ ସଫା କରୁଛି ତା'ର ସୁରକ୍ଷା କବଚ କଣ ?
ଦୂଷିତ ଜଳରେ ବେକ ଉଚ୍ଚର ପାଣି । ଏମିତକି ପାଟିରେ ମଧ୍ୟ ଡ୍ରେନ ପାଣି ପଶି ଯାଉଛି । ଏହାରି ମଧ୍ୟରେ ଠିକା ଶ୍ରମିକ ମାନେ କାର୍ଯ୍ୟ ଜାରି ରଖିଛନ୍ତି । କାହିଁକି ନାଁ ଯେଉଁ ଠିକାଦାର କାମ ନେଇଛି ତାକୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ ସଫା କରିବାର ଅଛି । ହେଲେ ଦେଖିବାକୁ ମିଳିଛି ଏଭଳି ଦୁର୍ଭାଗ୍ୟର ଚିତ୍ର । ଜୀବନକୁ ସୁରକ୍ଷା ନାହିଁ, ହାତରେ ବାଲଟି ଧରି ପଙ୍କ କାଢି ଚାଲିଛନ୍ତି ଶ୍ରମିକ । ଏଠି ସୁରକ୍ଷା କଥା କିଏ ପଚାରେ । ନାଁ ଅଛି ସୁରକ୍ଷା କବଚ ନାଁ ଅଛି ଅନ୍ୟ କୌଣସି ପଦକ୍ଷେପ । ଏହି କାମ ମଧ୍ୟରେ କିଛି ଅଘଟଣ ଘଟେ ସେଥିପାଇଁ ଦାୟୀ କିଏ ରହିବ ? ଏହି ସମ୍ବେଦନଶୀଳ ସଂକ୍ରାନ୍ତରେ କଟକ ମେୟର ସୁବାସ ସିଂ ମତ ରଖି କହିଛନ୍ତି, "ଯେଉଁ ଡ୍ରେନ ବର୍ତ୍ତମାନ ସଫା ହେଉଛି ସେଠି ଏଭଳି ଦୃଶ୍ୟ କେବେବି ଗ୍ରହଣୀୟ ନୁହେଁ । କାରଣ ଶ୍ରମିକ ବିନା ସିଏମସି କିଛି ନୁହେଁ । ରାତି ପାହିଲେ ସହରର ପରିମଳ ଓ ଅନ୍ୟାନ୍ୟ ଦିଗକୁ ସେମାନେ ବେଶ ସୂଚାରୁ ରୂପେ ତୁଲାଇଥାନ୍ତି । ଏହି ପରିପ୍ରେକ୍ଷୀରେ ଯେଉଁ ଶ୍ରମିକ ମାନେ ଏପରି କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ତୁରନ୍ତ ସୁରକ୍ଷା ଦିଆଯିବ । ଏହାସହ ଯଦି ଜଳସ୍ତର ଅଧିକ ରହିଛି ସେଠାରେ ଜେସିବି ସାହାଯ୍ୟରେ ପଙ୍କ କଢ଼ାଯିବ । ଯାହାଦ୍ୱାରା କୌଣସି ଅଘଟଣ ଘଟିବ ନାହିଁ ।"
ତେବେ ବର୍ତ୍ତମାନ କଟକରେ ଆଉ ଏପରି ଦୃଶ୍ୟ ସମାନକୁ ଆସିବନି ବୋଲି କହିଛନ୍ତି ମେୟର । 2022 ମସିହାରେ ଯେପରି ପଙ୍କ ଉଦ୍ଧାର ହୋଇଥିଲା ଆଉ କଟକ ମୌସୁମୀ ସମୟରେ ବିଶେଷ କ୍ଷତିଗ୍ରସ୍ତ ହୋଇ ନଥିଲା । ସେହି ଅନୁସାରେ ନୂଆ ଯୋଜନା ଆଧାରରେ ଚଳିତବର୍ଷ ଡ୍ରେନକୁ ସଫା କରଯାଉଛି । ବିଗତ ଦିନ ମାନଙ୍କରେ କଟକ ଭାରି ବର୍ଷା ସମୟରେ ସମ୍ପୂର୍ଣ୍ଣ ଭାବରେ ଜଳବନ୍ଦୀ ହେଉଥିଲା । ବିଶେଷକରି କଟକର ପ୍ରମୁଖ ଛକ, ସାହି, ଗଳିକନ୍ଦିରେ ଜଳବନ୍ଦୀ ସମସ୍ୟା ଉପୁଜୁଥିଲା । ପାଣି ଛାଡିବା ପାଇଁ ମଧ୍ୟ ବିଳମ୍ବ ହେଉଥିଲା । କିନ୍ତୁ ସିଏମସିର ନୂଆ ପ୍ରତିନିଧି ବିଗତ ବର୍ଷଠୁ ପଙ୍କ ଉଦ୍ଧାର କାର୍ଯ୍ୟ କରିବା ପାଇଁ ନୂଆନୂଆ ଯୋଜନା ହାତକୁ ନେଇଛନ୍ତି । ଗତ ବର୍ଷ ମଧ୍ୟ ମୌସୁମୀ ସମୟରେ ପ୍ରବଳ ବର୍ଷା ହେଉଥିଲା । କିନ୍ତୁ ପାଣି ସଙ୍ଗେ ସଙ୍ଗେ ଡ୍ରେନ ମାଧ୍ୟମରେ ଖସି ଯାଉଥିଲା । ଆଉ ଏହାକୁ ତ୍ୱରିତ ଢଙ୍ଗରେ ସମ୍ପାଦିତ କରିବା ପାଇଁ ଚଳିତବର୍ଷ ମଧ୍ୟ ବେଶ କ୍ଷିପ୍ରଗତିରେ କାର୍ଯ୍ୟ ଜାରି ରହିଛି ।
ଇଟିଭି ଭାରତ, କଟକ