କଟକ: ଉଚ୍ଛେଦ ପରେ ମିଳୁନି ଥିଇଥାନ। ଗତ ଅଗଷ୍ଟ ୨୮,୨୯ ତାରିଖରେ କଟକ ଜିଲ୍ଲା ବିଡାନାସୀ ନୂଆସାହି ମୁଣ୍ଡା ବସ୍ତି ଅଞ୍ଚଳର କିଛି ଲୋକଙ୍କୁ ପ୍ରଶାସନ ଉଚ୍ଛେଦ କରିଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରାଯାଇନାହିଁ । ଏହାର ପ୍ରତିବାଦ କରି ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସି ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସରକାରୀ ଜମି ଜବରଦଖଲ ନେଇ ବିଡାନାସୀ ନୂଆସାହି ମୁଣ୍ଡା ବସ୍ତି ଅଞ୍ଚଳର କିଛି ଲୋକଙ୍କୁ ପ୍ରଶାସନ ଉଚ୍ଛେଦ କରିଥିଲା । କିନ୍ତୁ ସେମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ନିରାଶ୍ରୟ ଲୋକମାନେ ସେବେଠାରୁ ଆଜି ପର୍ଯ୍ୟନ୍ତ ରାସ୍ତା କଡରେ ଜରି ଟାଙ୍ଗି ବର୍ଷା ଶୀତ କାକରରେ ପଡି ରହିଛନ୍ତି । ମୂଲ ମଜୁରୀ କରି ସେମାନେ ପରିବାର ପ୍ରତିପୋଷଣ କରିଥାଆନ୍ତି । ପିଲାମାନେ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ପଢନ୍ତି । ଏଭଳି ସ୍ଥଳେ ଏମାନଙ୍କୁ ବେଆଇନ ଭାବେ ଉଚ୍ଛେଦ କରି ରାସ୍ତା କଡରେ ଛାଡି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସି ଅଫିସ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: କଟକ ସହରରେ କଲବଲ କରୁଛନ୍ତି ମଶା, ସିଏମସି କାର୍ଯ୍ୟାଳୟ ଆଗରେ ମଶାରୀ ବାନ୍ଧି ପ୍ରତିବାଦ କଲା ବିଜେପି
ଉଛେଦ ବସ୍ତି ବାସିନ୍ଦାମାନଙ୍କୁ ଉପଯୁକ୍ତ ଆଇନ ସମ୍ମତ ଥଇଥାନ କରିବା, ରାସ୍ତା କଡରେ ଥିବା ମୁଣ୍ଡା ବସ୍ତି ଲୋକଙ୍କୁ ଅବିଳମ୍ବେ କର୍ମସ୍ଥଳୀ ନିକଟରେ ଥଇଥାନ କରବା, ସେମାନଙ୍କ ପିଲାମାନଙ୍କର ପାଠ ପଢା ବ୍ୟାଘାତ ନକରିବା ଭଳି ପ୍ରମୁଖ ଦାବି ମଞ୍ଚ ପକ୍ଷରୁ କରାଯାଇଛି । ସିଏମସି କମିଶନରଙ୍କୁ ଏହି ମର୍ମରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ସିଏମସି କମିଶନର ଥଇଥାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଇଟିଭି ଭାରତ, କଟକ