କଟକ: ବାଲିଯାତ୍ରା ପରେ ପୁଣି କଟକରେ ଲାଗିବ ଭିଡ଼ । ଲୋକେ କିଣାକିଣି କରିବା ସହ ଚଟପଟା ଖାଦ୍ୟର ମଜା ଉଠାଇବେ । ଏହାସାଙ୍ଗକୁ ବିଭିନ୍ନ ରାଜ୍ୟର ନୃତ୍ୟ ଦେଖିବାର ସୁଯୋଗ ପାଇବେ । କାରଣ ଚଳିତ ମାସ ୧୦ ତାରିଖରୁ ୧୮ ତାରିଖ ଯାଏଁ ଆରମ୍ଭ ହେବାକୁ ଯାଉଛି ୧୩ତମ ଜାତୀୟ ସାତସାହି ନୃତ୍ୟୋତ୍ସବ (Cuttack dance festival will be starts on december 10) । କଟକ ଉପର ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ହେବ ଏହି ମେଳା । ଏନେଇ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାତସାହି ନୃତ୍ୟୋତ୍ସବ କମିଟିର କର୍ମକର୍ତ୍ତା ।
ଇତିମଧ୍ୟରେ କମିଟି ଜିଲ୍ଲାସ୍ତରୀୟ ଉତ୍ସବର ମାନ୍ୟତା ପାଇସାରିଛି (Cuttack dance festival) । ଏହି ୯ ଦିନ ଧରି ଚାଲିବାକୁ ଥିବା ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ୯ ଦିନ ମଧ୍ୟରେ ୬୫ରୁ ଊର୍ଦ୍ଧ୍ବ ବିଭିନ୍ନ ସାଂସ୍କୃତିକ ଦଳ ମୁକ୍ତାକାଶ ମଞ୍ଚରେ ନୃତ୍ୟ ପରିବେଷଣ କରିବାର ବ୍ୟବସ୍ଥା ରହିଛି ।
ପ୍ରତିବର୍ଷ ପରି ଥାଲାସେମିଆ, କ୍ୟାନସର,ମଧୁମେହ ପୀଡ଼ିତ ଶିଶୁ ଓ ଭିନ୍ନକ୍ଷମ, ଅନାଥ ଅନୁଷ୍ଠାନକୁ ଦୁଇଲକ୍ଷ ଟଙ୍କା କମିଟି ପକ୍ଷରୁ ପ୍ରଦାନ କରାଯିବାର ଯୋଜନା ରହିଛି । ଏହି ଅବସରରେ ଉପର ବାଲିଯାତ୍ରା ପଡ଼ିଆରେ ବସିବ ୧୦୦ରୁ ଊର୍ଦ୍ଧ୍ବ ଷ୍ଟଲ । ଏଥିରେ ଦେଶର ବିଭିନ୍ନ ରାଜ୍ୟର ବ୍ୟବସାୟୀ ଏବଂ ସ୍ଵୟଂସହାୟକ ଗୋଷ୍ଠୀ ଯୋଗଦେବେ ।
ବାଣିଜ୍ୟ ମେଳାକୁ ସଫଳ କରିବା ପାଇଁ ନୃତ୍ୟେତ୍ସବ କମିଟି ସହିତ ବୈଶାଖୀ ବାଣିଜ୍ୟ ମେଳା କମିଟି ସହଯୋଗର ହାତ ବଢ଼େଇଛନ୍ତି । ଏହି ମେଳାରେ ମୀନାବଜାର, ପିଲାଙ୍କ ପାଇଁ ଖେଳଉପକରଣ, ଖଦୀ ବସ୍ତ୍ର, ଘରକରଣା ସାମଗ୍ରୀ, ସ୍ବୟଂସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଉତ୍ପାଦନ ସୁଲଭମୂଲ୍ୟରେ ମିଳିବ । ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସଚେତନତାଧର୍ମୀ ଷ୍ଟଲ ସାଙ୍ଗକୁ କଟକ ସହରରେ ଜାଇକା କାମକୁ ନେଇ ଜନସଚେତନାଧର୍ମୀ ଷ୍ଟଲ୍ ମଧ୍ୟ ଖୋଲିବ ବୋଲି କମିଟିର ଅଧ୍ୟକ୍ଷ ତଥା ମହାନଗର ନିଗମ ମେୟର ସୁବାଷ ସିଂ କହିଛନ୍ତି । ତେଣୁ କଟକବାସୀଙ୍କ ସହଯୋଗ ରହିଲେ ଏଥିର ବି ଏହି ଉତ୍ସବ ଜମିବ । କାରଣ ନୂଆ ରୂପରେ କଟକ ସହର ବିଶ୍ବ ଦରବାରକୁ ଆସୁଛି ।
ଇଟିଭି ଭାରତ, କଟକ