କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ କଟକର କୁନି ଝିଅ ଅନ୍ବେଶା ବିଶ୍ବାଳ । ୨୦୪୭ ବେଳକୁ ଦେଶର ପରିବେଶ କିଭଳି ଅଧିକ ସ୍ୱଚ୍ଛ ହୋଇପାରିବ, ସେ ସମ୍ପର୍କିତ ଓ ବିଭିନ୍ନ ଦିଗକୁ ଦର୍ଶାଇ ଅନ୍ବେଶା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଭଳି ଚିଠିକୁ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ମାନେ ବି ଖୁବ୍ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଟକର କୁନି ଝିଅ ଅନ୍ବେଶା ସୂଚନା ଅନୁଯାୟୀ କଟକ ହରିପୁରର ବାସିନ୍ଦା ରଞ୍ଜନ କୁମାର ବିଶ୍ବାଳ ଓ ଶ୍ରଦ୍ଧାଞ୍ଜଳି ବିଶ୍ବାଳଙ୍କ ଝିଅ ଅନ୍ବେଶା ବିଶ୍ବାଳଙ୍କ ବୟସ ମାତ୍ର ୧୨ ବର୍ଷ । ସେ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ର ଷଷ୍ଠ ଶ୍ରେଣୀର ଛାତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୭୫ ଲକ୍ଷ ପୋଷ୍ଟକାର୍ଡ଼ କ୍ୟାମ୍ପେନ ଆରମ୍ଭ ହୋଇଥିବା ବେଳେ ଏନେଇ ସମସ୍ତ ସ୍କୁଲରେ ପୋଷ୍ଟକାର୍ଡ଼ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଥିଲା । ଗତ ସପ୍ତାହରେ ସମସ୍ତ ସ୍କୁଲରେ ଏହି କ୍ୟାମ୍ପେନ ପାଇଁ ନୋଟିସ ଆସିଥିଲା ଏବଂ ସମସ୍ତ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ଆରମ୍ଭ କରିଛନ୍ତି । ହେଲେ କିଛି ନିଆରା ଢ଼ଙ୍ଗରେ ନିଜ ପ୍ରସ୍ତାବ ରଖି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଅନ୍ବେଶା । ସେ ଆଗାମୀ ୨୦୪୭ରେ ଭାରତର କିଭଳି ସ୍ଥିତି ଚାହୁଁଛନ୍ତି ଏନେଇ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ତିନୋଟି ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ପ୍ରଥମତଃ ଯେପରି ଭାରତର ଶତପ୍ରତିଶତ ପିଲା ଶିକ୍ଷିତ ହେବେ, ଦ୍ବିତୀୟରେ ଇଲେକ୍ଟ୍ରି ଗାଡ଼ିର ଅଧିକ ବ୍ୟବହାର, ସବୁଜ ପରିବେଶ ବା ବୃକ୍ଷରୋପଣ ଠିକ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ । ଶେଷରେ କିପରି ଭାରତ ସ୍ବଚ୍ଛତା ବିଶ୍ବରେ ପ୍ରଥମ ସ୍ଥାନରେ ରହିପାରିବ ବୋଲି ଅନ୍ବେଶା ଲେଖିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ