କଟକ: କୋଭିଡ ଟୀକାକରଣ କେନ୍ଦ୍ରରେ ଟିକା ଚୋରୀ ଅଭିଯୋଗ । କଟକ ନିଆଳି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରୁ ଆସିଛି ଏଭଳି ଅଭିଯୋଗ । ସୋମବାର ନିଆଳି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ଟୀକାକରଣ କେନ୍ଦ୍ରରେ କିଛି ବ୍ୟକ୍ତି ଓ ମହିଳା ବେଆଇନ ଭାବେ ଟିକା ଦେବାରେ ହେରଫେର କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଟୀକାକରଣରେ ଅନିୟମିତତା ଯୋଗୁଁ ସ୍ଥାନୀୟ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି ।
ନିଆଳି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ କୋଭିଡ ଟୀକାକରଣରେ ହେରଫେର ହେଉଥିବା ନେଇ ସ୍ଥାନୀୟ ସରପଞ୍ଚ ଓ କାର୍ଯ୍ୟରତ ଡାକ୍ତରଙ୍କୁ ଅବଗତ କରାଇଛନ୍ତି ସ୍ଥାନୀୟ ଲୋକେ । ଉଭୟ ଏହି ଘଟଣାକୁ ନିନ୍ଦା କରିବା ସହ ତଦନ୍ତ କରିବେ ବୋଲି ଆଶ୍ବସନା ଦେଇଛନ୍ତି । ଏହି କୋଭିଡ ଟୀକାକରଣ କେନ୍ଦ୍ରରେ ୩୦୦ କରୋନା ଟିକା ଆସିଥିଲା । ତେବେ ମାତ୍ର ୧୭୧ଟି ଟିକା ଦେଇ ଅପେକ୍ଷାରତ ଲୋକଙ୍କୁ ଟିକା ଦେବାକୁ ମନା କରି ଦେଇଥିଲେ କର୍ତ୍ତୃପକ୍ଷ ।
ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ବିଶେଷ କରି ଜଣେ ମହିଳା କୋଭିଡ ଟିକା ଚୋରୀ କରୁଥିବା ସନ୍ଦେହ କରିଥିଲେ ଟିକା ପାଇଁ ଅପେକ୍ଷା କରିଥିବା ଲୋକେ ।
ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପଞ୍ଜୀକରଣ ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଯୋଗାଇ ଦେଉଛନ୍ତି ରାଜ୍ୟ ସରାକାର । ନିଆଳୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭିଯୋଗ ପରେ କଣ ପଦକ୍ଷେପ ନିଆଯାଉଛି ତାହାରି ଉପରେ ରହିଛି ସଭିଙ୍କ ନଜର ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ