କଟକ: ପୁରୀ ଅର୍ପଣ ରଥ ପରିକ୍ରମାକୁ ବିରୋଧ । କଟକରେ ଅର୍ପଣ ରଥ ପରିକ୍ରମାକୁ କଂଗ୍ରେସ ବିରୋଧ କରିଛି । ବିଜେଡି ଜଗନ୍ନାଥ ମହାପ୍ରଭୁଙ୍କ ନାଁ ନେଇ ରାଜନୀତି କରୁଥିବା କହି ଶାସକ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସିଏମସିର ବିରୋଧୀ କର୍ପୋରେଟର ବିଜେଡି ଦଳକୁ ଏପରି ଢଙ୍ଗରେ ପ୍ରଶ୍ନ କରିଛନ୍ତି । "ବିଜେଡି 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏହି ଅର୍ପଣ ରଥ ଜରିଆରେ ରାଜନୀତି କରିବା ଆରମ୍ଭ କରିଛି । ଯଦି ଏହି ରଥ ପ୍ରଭୁଙ୍କ ନିମିତ୍ତ ତେବେ ସେହି ଗାଡିରେ ଉଭୟ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ଫଟୋ କ'ଣ ପାଇଁ ରହିବ ? ବୋଲି ପ୍ରଶ୍ନ କରିଛନ୍ତି ସିଏମସି ବିରୋଧି ଦଳ ନେତା ସନ୍ତୋଷ ଭୋଳ ।
ଏହାସହ କଟକର 59ଟି ୱାର୍ଡରେ ଏହି ରଥ ବୁଲିବ । ପ୍ରତି ୱାର୍ଡ ପିଛା 5 ଲକ୍ଷ ଟଙ୍କା ଏହି ପରିକ୍ରମା ଆଳରେ ଖର୍ଚ୍ଚ ମଧ୍ୟ ହେଉଛି । ତେଣୁ ଏହି ଟଙ୍କାର ହିସାବ କିଏ ଦେବ ତାହାର ଉତ୍ତର କାହା ପାଖରେ ନାହିଁ । କେବଳ କଟକରେ ଥିବା ସମସ୍ତ ଲୋକମାନଙ୍କ ଭାବାବେଗ ସହ ଖେଳ ଖେଳାଯାଉଥିବା ଅଭିଯୋଗ କରିଛି କଂଗ୍ରେସ ।
ଏହା ମଧ୍ୟ ପଢନ୍ତୁ...ଅର୍ପଣ ରଥ ପାଇଁ ଆସୁଥିବା 5 ଲକ୍ଷ ଟଙ୍କାର ହିସାବ ମାଗିଲା ବିଜେପି
ତେବେ "କଟକ ସିଏମସି 3 ଟି ବିଧାୟକ ରହିଛନ୍ତି । କିନ୍ତୁ ସେମାନେ ଏହି ରଥ ସହ ନଜର ଆସୁନାହାନ୍ତି ଏପରିକି ଅନ୍ୟ ବିରୋଧୀ ଦଳ ମଧ୍ୟ ରହିଛନ୍ତି । ସେମାନଙ୍କୁ ଏହି ରଥ ପରିକ୍ରମାରେ ସାମିଲ ନକରି କେବଳ ଶାସକ ଦଳର ମୁଖିଆଙ୍କ ଫଟୋ ମାରି ନିର୍ବାଚନୀ ପ୍ରଚାରରେ ମାତିଛି ବିଜୁ ଜନତା ଦଳ । ଯାହାକୁ କଡା ନିନ୍ଦା କରିବା ସହ ଓଡିଆଙ୍କ ପ୍ରାଣ କେନ୍ଦ୍ର ପ୍ରଭୁ ଜଗନ୍ନାଥ ନାଁରେ ବିଜେଡି ରାଜନୀତିରୁ ଦୂରେଇ ରହୁ ବୋଲି ଦାବି କରିଛନ୍ତି କର୍ପୋରେଟର ।"
ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ହେବ । ଏହି ଉଦ୍ଘାଟନୀ ଉତ୍ସବରେ ରାଜ୍ୟବାସୀଙ୍କ ସହଭାଗିତା ପାଇଁ ଗୁଆ ଏବଂ ଅରୁଆ ଚାଉଳ ସଂଗ୍ରହ କରୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ । ଗାଁରୁ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ବୁଲି ଲୋକଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ଏହି ରଥ ମାଧ୍ୟମରେ ସଂଗ୍ରହ କରାଯାଉଛି । ଯାହା ୧୨ ତାରିଖରୁ ଆରମ୍ଭ ହେଉଥିବା ଭବ୍ୟ ଯଜ୍ଞରେ ଲାଗିବ । ହେଲେ ଏହି ଅର୍ପଣ ରଥକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି ।
ଇଟିଭି ଭାରତ, କଟକ