କଟକ: କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତିକୁ ବିରୋଧ କରିଛି ବିଜେଡି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ଲୋକଙ୍କ 5 କିଲୋ ଚାଉଳ କାଟିଦେବାକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଶତାଧିକ ବିଜେଡି କର୍ମୀ । କଟକ ଜିଲ୍ଲା ବିଜେଡି ସଭାପତି ଓ ନଗର ସଭାପତିଙ୍କ ନେତୃତ୍ୱରେ ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ଏବଂ ମହିଳା ନେତୃମଣ୍ଡଳୀ ଏକାଠି ହୋଇ କେନ୍ଦ୍ର ବିରୁଦ୍ଧରେ ବର୍ଷିଥିଲେ ।
କେବଳ ଚାଉଳ କାଟିଦେବା କ୍ଷେତ୍ରରେ କେନ୍ଦ୍ର ପ୍ରତାରିତ କରିନାହିଁ ବରଂ ଧାନ କ୍ରୟ ପ୍ରସଙ୍ଗରେ ମଧ୍ୟ ଜବାବ ମାଗିଛି ବିଜେଡି । ରାଜ୍ୟରେ ଚାଷୀ ମାନଙ୍କ ଅମଳ ହେଉଥିବା ଧାନ କିଣିବାକୁ ତୁରନ୍ତ କେନ୍ଦ୍ର ସରକାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ବିଜେଡି ନେତୃମଣ୍ଡଳୀ। ତେବେ ସଙ୍ଘୀୟ ବ୍ୟବସ୍ଥାରେ ଉଭୟ ରାଜ୍ୟ ଓ କେନ୍ଦ୍ରର ମିଳିତ ସହଯୋଗ ରହିବା ଆବଶ୍ୟକ । ହେଲେ ବର୍ତ୍ତମାନ ସମୟରେ କେନ୍ଦ୍ରର ଏପରି ମନୋଭାବ ତାହା କେନ୍ଦ୍ରର ସହଯୋଗର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି ।
5 କେଜି ଚାଉଳ କାଟ କରିବା ଏହା ରାଜ୍ୟ ପ୍ରତି ଏକ ବୈମାତୃକ ମନୋଭାବ ବୋଲି କହିଛନ୍ତି କଟକ ମେୟର । ବିଗତ ଦିନରେ ପାର୍ଲିଆମେଣ୍ଟରେ ମଧ୍ୟ ପ୍ରଶ୍ନ ଉଠା ଯାଇଛି ହେଲେ ଓଡିଶା ପ୍ରତି କେନ୍ଦ୍ର ଅଣଦେଖା କରି ଆସୁଛି । ଯାହା ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆମ ରାଜ୍ୟ ଖାଦ୍ୟ ସୁରକ୍ଷା ଦିଗରେ ବେଶ ମଜଭୁତ ରହିଛି । ଯଦି କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନ ନାଁରେ ଓଡିଶାକୁ ନିଷ୍ପେସିତ କରିବେ ତେବେ ରାଜ୍ୟ ସରକାର ସାଢ଼େ 4 କୋଟି ଓଡ଼ିଆଙ୍କ ଦାୟିତ୍ୱ ନେଉଛନ୍ତି ଓ ନେବେ ।
ଆଉ କେନ୍ଦ୍ରର ଏହି ମନୋଭାବର ସଠିକ ଉତ୍ତର ଆଗାମୀ ଦିନରେ ସବୁ ଓଡ଼ିଆ ଦେବେ ବୋଲି କହିଛନ୍ତି ସୁବାସ ସିଂ । ରାଜ୍ୟର ଗରିବ ଚାଷୀ ଖଟି ଖିଆ ମାନଙ୍କ ଝାଳ ସହ ସହ ଖେଳିବା କେନ୍ଦ୍ର ସରକାର ପାଇଁ ଉଚିତ ନୁହେଁ । ଯଦି ଆଜି ସମସ୍ୟା ସୃଷ୍ଟି ହୋଇଛି ତାହାର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ତେବେ ଗତକାଲି କଟକରେ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ପ୍ରତିବାଦ କରାଯାଇଛି ।
ଚାଉଳ କାହିଁକି କାଟିଲ ଏଭଳି ପ୍ରଶ୍ନ ଉଠାଇ ବିଜେଡି ପକ୍ଷରୁ କଟକରେ ହୋଇଥିବା ପ୍ରତିବାଦ ଦଳର ବହୁ ବରିଷ୍ଠ କର୍ମୀ ଓ ନେତା ଯୋଗ ଦେଇଥିଲେ। କେନ୍ଦ୍ର ବିରୁଦ୍ଧରେ ଏହି ପ୍ରତିବାଦ ଆଗକୁ ମଧ୍ୟ ଜାରି ରହିବ ବୋଲି କହିବା ସହ ଓଡ଼ିଶାରୁ ରାଜସ୍ବ ନେଉଥିବା କେନ୍ଦ୍ର ଓଡିଶାବାସୀଙ୍କୁ ତାର ହକ୍ କାହିଁକି ଦେବାରୁ ବଞ୍ଚିତ କରିବ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ କେନ୍ଦ୍ରକୁ ଓଡ଼ିଶା ସରକାର ରାଜ୍ୟବାସୀଙ୍କ ହକ୍ ପାଇଁ ଦାବି କରିଆସିଛନ୍ତି ଆଗକୁ ମଧ୍ୟ କରିବେ ବୋଲି କହିଛି ବିଜେଡି l
ଇଟିଭି ଭାରତ, କଟକ