କଟକ: ରାଜ୍ୟରେ ମହାମାରୀ କୋରୋନା ସଂକ୍ରମଣ ନିଆଁ ପରି ବ୍ୟାପୁଛି । ପ୍ରତିଦିନ ସଂକ୍ରମିତ ସଂଖ୍ୟାରେ ହେଉଛି ନୂଆ ରେକର୍ଡ । ତାଳଦେଇ ବଢୁଛି ମୃତ୍ୟୁ ସଂଖ୍ୟା । ଏଭଳି ସ୍ଥିତିରେ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି । ପ୍ରତି ଜିଲ୍ଲାରେ ନିର୍ମାଣ ହୋଇଛି କୋଭିଡ ମେଡିକାଲ । ସେପଟେ ଘରୋଇ ମେଡିକାଲ ମଧ୍ୟ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ପ୍ରସ୍ତୁତ ।
ସରକାରୀ ନିୟମ ମୁତାବକ ଘରୋଇ ହସ୍ପିଟାଲ ଗୁଡିକ 30% ଶଯ୍ୟା ସହ ଡାକ୍ତର ନର୍ସ ପାରାମେଡିକାଲ କର୍ମଚାରୀ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଏପରିକି ଭେଣ୍ଟିଲିଟର, ଆଇସିୟୁର ମଧ୍ୟ ସୁବିଧା ରହିଛି । ତେବେ ବିଜୁ କଲ୍ୟାଣ ଭଳି ଯୋଜନା ମାଧ୍ୟମରେ ସରକାର ଏହି ସେବା ପାଇଁ ଅନୁମତି ପ୍ରଦାନ କଲେ ଏହା ବେଶ ସଫଳ ହେବ ବୋଲି କହିଛନ୍ତି ପ୍ରାଇଭେଟ ମେଡିକାଲ ଆସୋସିଏସନର ସାଧାରଣ ସମ୍ପାଦକ ।
କୋଭିଡ ଚିକିତ୍ସାର ଭିତ୍ତିଭୂମି ନିମନ୍ତେ କୋଟି କୋଟି ଦେଉଛନ୍ତି ସରକାର । ପ୍ରତି ରୋଗୀ ପିଛା ସରକାର ଦିନକୁ ଖର୍ଚ୍ଚ କରୁଛନ୍ତି 10 ହଜାର ଟଙ୍କା । ଏହି ଆଧାରରେ ଯଦି ଘରୋଇ ହସ୍ପିଟାଲରେ 15 ଦିନ ଆକ୍ରାନ୍ତ ରହିବେ ତେବେ ରୋଗୀ ପିଛା ଦେଢ ଲକ୍ଷ ଟଙ୍କା ଦେବାକୁ ପଡିବ । ଏଭଳିସ୍ଥଳେ ରାଜ୍ୟ ରାଜକୋଷରେ ଏହା ଗଭୀର ପ୍ରଭାବ ପକାଇବ ବୋଲି ଯୁକ୍ତି ବାଢି ଘରୋଇ ହସ୍ପିଟାଲକୁ ଅନୁମତି ନଦେବାକୁ କହିଛନ୍ତି ବରିଷ୍ଠ ସାମ୍ବାଦିକ ।
ଏବେ ଏଠି ପ୍ରଶ୍ନ ଉଠୁଛି ଯଦି ଆଗକୁ ସରକାର ଘରୋଇ ହସ୍ପିଟାଲକୁ କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅନୁମତି ଦିଅନ୍ତି ତେବେ ବାସ୍ତବରେ ରୋଗୀ ଉପକୃତ ହେବେ ନା ଶୋଷଣର ଶିକାର ହେବେ ?
କଟକରୁ ନାରାୟଣ ସାହୁ, ଇଟିଭି ଭାରତ