କଟକ: ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ରର ନିର୍ଦ୍ଦେଶକ ପଦ ପୂରଣ ମାମଲା । ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଜି(ଗୁରୁବାର) ସକାଳ ସାଢ଼େ ୧୦ଟାରେ ହାଜର ହେବା ପାଇଁ ସ୍ବତନ୍ତ୍ର ସଚିବଙ୍କୁ ନିର୍ଦ୍ଦେଶ ମିଳିଛି । କର୍କଟ କେନ୍ଦ୍ରରେ ନିର୍ଦ୍ଦେଶକ ନିଯୁକ୍ତି ଲାଗି କୋର୍ଟ ଗତ ଅଗଷ୍ଟରେ ନିର୍ଦ୍ଦେଶ ଦେଇଥିଲେ । ହେଲେ ନିଯୁକ୍ତି ବଦଳରେ ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ଅନ୍ୟାଦେଶ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଥିବା ଦର୍ଶାଇ ୨୦୨୩, ସେପ୍ଟେମ୍ବର ୨୦ରେ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା ।
ଏପରି ପଦକ୍ଷେପ ଅଦାଲତ ଅବମାନନା ବୋଲି ହାଇକୋର୍ଟ କହିବା ସହିତ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତିଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟ ଖପ୍ପା, ଆସନ୍ତାକାଲିଠୁ କାମ ଆରମ୍ଭ କରିବାକୁ ASIକୁ ନିର୍ଦ୍ଦେଶ
କାହିଁକି ଏପରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ:
ଗତ ଅଗଷ୍ଟ ୩୧ରେ ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ନିୟମିତ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ଲାଗି ସରକାର ଓ କର୍କଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଯଦି ବାଇ-ଲ'ରେ ସଂଶୋଧନ ଆବଶ୍ୟକ ହୁଏ ତେବେ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଏହା ସଂପନ୍ନ କରାଯିବ ବୋଲି କୋର୍ଟ କହିଥିଲେ । ଏ ସମସ୍ତ ପ୍ରକ୍ରିୟା ଦୁଇ ମାସ ଭିତରେ ସଂପୂର୍ଣ୍ଣ ହେବ ବୋଲି ହାଇକୋର୍ଟ ଅଗଷ୍ଟ ୩୧ରେ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଅଗଷ୍ଟ ୩୧ର ରାୟ ବିରୋଧରେ କର୍କଟ କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ ଦାୟର କରାଯାଇଥିଲା ।
ଅକ୍ଟୋବର ୬ରେ ସୁପ୍ରିମକୋର୍ଟ ଏସଏଲପି ଖାରଜ କରିଥିଲେ । ହାଇକୋର୍ଟଙ୍କ ରାୟ କାଏମ ରହିଥିଲା । ଅନ୍ୟପକ୍ଷରେ ନିୟମିତ ନିର୍ଦ୍ଦେଶକ ପଦ ପୂରଣ ନ କରି ସେପ୍ଟେମ୍ବର ୨୦ରେ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ହାଇକୋର୍ଟ ଦୁଇ ମାସ ଭିତରେ ନିୟମିତ ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେବାକୁ କହିଥିବା ବେଳେ ଏହାର ସମୟ ମଧ୍ୟ ଅତିକ୍ରାନ୍ତ ହୋଇସାରିଛି । ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ହୋଇଛି ବୋଲି ଆବେଦନକାରୀ ହାଇକୋର୍ଟରେ ଦର୍ଶାଇଥିଲେ।
ଇଟିଭି ଭାରତ, କଟକ