କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବଳୟ ଭିତରେ କିପରି ରାଷ୍ଟ୍ରପତିଙ୍କ ଗସ୍ତ ଶେଷ ହେବା ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ସମୟରେ କଟକ ସହରରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସଭାସ୍ଥଳରେ ଏଡିସିପି ପାହ୍ୟାର ଅଧିକାରୀ ମୁତୟନ ରହିବେ। ରାଷ୍ଟ୍ରପତିଙ୍କ ରୁଟ ଲାଇନ ଠାରୁ ଆରମ୍ଭ କରି ସଭାସ୍ଥଳ ପର୍ଯ୍ୟନ୍ତ ମୁତୟନ ହେବେ ବ୍ୟାପକ ପୋଲିସ ଫୋର୍ସ ।
ଆସନ୍ତା ୨୬ ତାରିଖରେ କଟକ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ସମୟରେ ହାଇକୋର୍ଟ, ଏସସିବି ମେଡିକାଲ ,ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କଟକ ଚଣ୍ଡୀ ମନ୍ଦିର ଯାଇ ମା'ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ , ସମେତ ଅନ୍ୟାନ୍ୟ କିଛି ସ୍ଥାନକୁ ରାଷ୍ଟ୍ରପତି ଯିବା ନେଇ ସୂଚନା ରହିଛି । ଏହି ପରିପ୍ରେକ୍ଷୀରେ ଏହି ତିନୋଟି ଅନୁଷ୍ଠାନକୁ ସରକାରୀ ସ୍ତରରେ ସୂଚିତ କରାଯାଇସାରିଛି । ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରକୁ ଆସି ସାରିଛନ୍ତି । ଏହା ତାଙ୍କ ଦ୍ବିତୀୟ କଟକ ଗସ୍ତ । ଏହା ପୂର୍ବରୁ କମିଶନରେଟ ପୋଲିସର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ବ୍ଲୁ ପ୍ରିଣ୍ଟ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: 26ରେ କଟକ ଆସିବେ ରାଷ୍ଟ୍ରପତି: ସଜାଗ CMC, ପ୍ରସ୍ତୁତିରେ ରହିବନି ତ୍ରୁଟି
ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନରାଜ ହେଲିପ୍ୟାଡରେ କଡା ସୁରକ୍ଷା ବନ୍ଦୋବସ୍ତ ସହ ତାଙ୍କ ପୁରା ଗସ୍ତ ରୁଟ୍ ପାଇଁ ସ୍ଵତନ୍ତ୍ର ଫୋର୍ସ ଆରେନଜମେଣ୍ଟ ହୋଇଛି । ରାଷ୍ଟ୍ରପତିଙ୍କ ରୁଟ ଲାଇନ ରାସ୍ତାରେ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯିବ । ଅନ୍ୟପଟେ ରାସ୍ତା ଘାଟ,ସ୍ୱଚ୍ଛତା ପରିମଳ ବ୍ୟବସ୍ଥା, ଆଲୋକି କରଣ, ଇତ୍ୟାଦି ବିଷୟ ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଉଛି । ତେବେ ଲଘୁଚାପଜନିତ ଜନିତ ବର୍ଷା ଜାରି ରହିଥିବାରୁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କଟକ ସହରରେ ଯେପରି ଜଳବନ୍ଦୀ ସମସ୍ୟା ନଉପୁଜେ ସେ ଦିଗରେ ବିଶେଷ ଧ୍ୟାନ ଦିଆଯାଉଛି । ଏହା ବ୍ୟତୀତ ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ମଧ୍ୟ ସିଏମସି ପକ୍ଷରୁ ଗ୍ରହଣ କରାଯାଉଛି ।"
ପୂର୍ବରୁ ରାଷ୍ଟ୍ରପତିଙ୍କ କଟକ ଗସ୍ତ ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତିଙ୍କ ଗସ୍ତ ସୁରୁଖୁରୁରେ କିପରି ସମାପନ ହେବ ସେନେଇ ଅଧିକ ଜୋର ଦିଆଯାଇଥିଲା । ରାଷ୍ଟ୍ରପତିଙ୍କ ଯିବା ଆସିବା ରାସ୍ତାର ତୁରନ୍ତ ମରାମତି, ବିଜୁଳି ଓ ପାଣି ବ୍ୟବସ୍ଥା, ଟ୍ରାଫିକ ପରିଚାଳନା, ପରିମଳ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ସମସ୍ତ ବିଭାଗକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା ।
ଇଟିଭି ଭାରତ, କଟକ