କଟକ: କଟକରେ ଶେଷ ହେଲା 30 ତମ ଜାତୀୟ ଜୁନିୟର ଫେନ୍ସିଂ ଚାମ୍ପିୟନସିପ । ପୁରୁଷ ବିଭାଗରେ ଜମ୍ମୁ-କାଶ୍ମୀର ଓ ମହିଳା ବର୍ଗରେ ହରିୟାଣା ବାଜିମାତ କରିଛି । ତେବେ 4 ଦିନ ଧରି ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମେଗା ପ୍ରତିଯୋଗିତାରେ ସମସ୍ତ ମ୍ୟାଚ ବେଶ ରୋମାଞ୍ଚକର ହୋଇଥିଲା । ତେବେ ଘରୋଇ ଦଳ ହିସାବରେ ଓଡିଶା ପଦର୍ଶନ ଏତେଟା ଆଖିଦୃଶିଆ ହୋଇପାରିନଥିଲା । କେବଳ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ହିଁ ଲଢ଼ିପାରିଥିଲା ଓଡିଶା ।
ତେବେ ଖେଳାଳିଙ୍କ ଆସିବା ରହିବା ଓ ମ୍ୟାଚ ଖେଳିବା ଦିଗରେ ଉଭୟ ରାଜ୍ୟ ଫେନ୍ସିଂ ସଂଘ ଓ ରାଜ୍ୟ ସରକାର କୌଣସି ତ୍ରୁଟି ରଖିନଥିଲେ । ଏହି ପ୍ରତିଯୋଗିତାରେ ଭାରତର 30ଟି ରାଜ୍ୟରୁ ମୋଟ 600 ଖେଳାଳି ଏହି ମେଗା ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଉଭୟ ରାଜ୍ୟ କ୍ରୀଡା ବିଭାଗ ଓ ରାଜ୍ୟ ଫେନ୍ସିଂ କ୍ରୀଡା ସଂଘର ମିଳିତ ଉଦ୍ୟମରେ ଏହି ମେଗା ଆୟୋଜନ ହୋଇଥିଲା ।
ଅନ୍ୟପଟେ ଆଜି(ରବିବାର) ଠାରୁ ଇଣ୍ଡୋର ଷ୍ଟାଡିୟମରେ ସର୍ବ ଭାରତୀୟ ଫେନ୍ସିଂ ସଂଘ ପକ୍ଷରୁ ଆୟୋଜିତ ହେବ ଚୟନ ପ୍ରକ୍ରିୟା । ଲଣ୍ଡନରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ କାଲି ଉଭୟ ପୁରୁଷ ଓ ମହିଳା ଫେନ୍ସି ଖେଳାଳି ଚୟନ ହେବ । ଏଥିପାଇଁ ଭାରତର କୋଣ ଅନୁକୋଣରୁ ବଛାବଛା 150 ପ୍ରତିଯୋଗୀ ଏହି ଟ୍ରାଏଲ ପାଇଁ ଆସିଛନ୍ତି ।
ଇଟିଭି ଭାରତ, କଟକ