କଟକ: ବଢିଲା ମାଟ୍ରିକ ଫର୍ମପୂରଣ ଅବଧି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧିକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଗତ ୨ ତାରିଖ ମଧ୍ୟରାତ୍ର ଥିଲା ଫର୍ମ ପୂରଣର ଶେଷ ତାରିଖ । ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ଓପନ ସ୍କୁଲ ପରୀକ୍ଷା ଓ ପତ୍ର ବିନିମୟ ପାଠ୍ୟକ୍ରମ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟ ସୀମା ଫେବୃୟାରୀ ୧୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ ଚଳିତବର୍ଷ ମାଟ୍ରିକ ପରୀକ୍ଷା । ତେବେ କୋରୋନା ପାଇଁ ଚଳିତବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ପ୍ରତ୍ୟେକ ବର୍ଷ ପ୍ରତି ବିଷୟରେ ୧୦୦ ମାର୍କର ପରୀକ୍ଷା କରାଯାଉଥିବା ବେଳେ ଏବର୍ଷ ୮୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ସେଥିମଧ୍ୟରୁ ୫୦ ମାର୍କ ସଂକ୍ଷିପ୍ତ ପ୍ରଶ୍ନ ଓ ୩୦ ମାର୍କ ଦୀର୍ଘ ପ୍ରଶ୍ନ ସମ୍ବଳିତ ଅଟେ । ସେହିପରି ନିଜ ସ୍କୁଲରେ ନିଜେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କେବଳ ସ୍କୁଲର ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ପଠାଯିବ । ଏହାବ୍ୟତୀତ ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟାରେ ଶେଷ ହେବ ପରୀକ୍ଷା । କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ଏହି ୮୦ ମାର୍କର ପରୀକ୍ଷାକୁ ୧୦୦ ମାର୍କରେ କନଭର୍ଟ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ