କଟକ: ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ତେବେ ଜିଲ୍ଲାରୁ ପୁଣି 10 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରେଭେନ୍ସା ବିଶ୍ବବିଦ୍ୟାଳୟର ହଷ୍ଟେଲରୁ 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।
ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଥିବା ବେଳେ ପ୍ରତିଦିନ ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ନୂଆ 10 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ରେଭେନ୍ସା ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ 8 ଜଣ ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ କଟକରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର 395 ହୋଇଥିବା ବେଳେ ଏବେ ଜିଲ୍ଲାରେ ସକ୍ରିୟ ଅଛନ୍ତି 1556 ଜଣ ଆକ୍ରାନ୍ତ । ସେପଟେ ଏଯାବତ୍ 29 ହଜାର 94 ଜଣ ସୁସ୍ଥ ହୋଇଥିବା ବେଳେ 142 ଜଣଙ୍କର କୋରୋନାଜନିତ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ