ଭୁବନେଶ୍ବର: ଚର୍ଚ୍ଚାରେ ପୁର୍ଣ୍ଣଚ୍ଛେଦ । ରାଜନୀତିକୁ ଆସିବେ ନାହିଁ ନବୀନଙ୍କ ପୁତୁରା ଅରୁଣ । ଖାଲି ଅରୁଣ କାହିଁକି, ପରିବାରର କେହି ମଧ୍ୟ ରାଜନୀତିକୁ ଆସିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହାପରେ ପୁତୁରା ଅରୁଣ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୁର୍ଣ୍ଣଚ୍ଛେଦ ପଡିଛି ।
ଏକ ଇଂରାଜୀ ଦୈନିକ ଖବର କାଗଜକୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି, ରାଜନୀତିକୁ ମୋ ପରିବାରର କେହି ବି ଆସିବେ ନାହିଁ । ମୋ ଉତ୍ତରାଧିକାରୀ ଲୋକେ ହିଁ ବାଛିବେ । ସେହିପରି ପୂର୍ବରୁ ଦଳର ଉତ୍ତରାଧିକାରୀ କିଏ ହେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ନବୀନ କହିଥିଲେ ।
ସୂଚନାଯୋଗ୍ୟ, ନବୀନଙ୍କ ପୁତୁରା ତଥା ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ ରାଜନୀତିକୁ ଆସୁଥିବା ନେଇ ଦୀର୍ଘଦିନ ହେଲା ଚର୍ଚ୍ଚା ଜୋର ଧରିଥିଲା । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଏକ ହ୍ବାଟ୍ସଆପ ଗ୍ରୁପ ଚର୍ଚ୍ଚାକୁ ଆହୁରି ସରଗରମ କରିଥିଲା । ଏପରିକି ପୁତୁରା ଏଣ୍ଟ୍ରିକୁ ଆଖି ଆଗରେ ରଖି ନବୀନ ଦୁଇଟି ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ସେ ସମୟରେ ଚର୍ଚ୍ଚା ହେଉଥିଲା । ଆଉ ଏହାରି ଭିତରୁ ଏବେ ପରଦା ହଟାଇଛନ୍ତି ବିଜେଡି ସୁପ୍ରିମୋ ।