ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ଏକ ନୂଆ ଜେଲ । ଯେଉଁଠି ରହିବ ସ୍ୱତନ୍ତ୍ର ଭାବେ ଜେଲର ସୁରକ୍ଷା ବ୍ୟବସ୍ଥା । ଏହାକୁ ନେଇ ରାଜ୍ୟରେ ଅନ୍ୟ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ଦେଇଛନ୍ତି କାରାଗାର ମହାନିର୍ଦ୍ଦେଶକ । ଏହା ଛଡା ଏକ ସ୍ବତନ୍ତ ଜେଲ ପ୍ରସ୍ତୁତ କରାଯିବ ଆଠଗଡ ଅଞ୍ଚଳରେ । ତେବେ ଏହି ସ୍ୱତନ୍ତ୍ର ଜେଲ ହେବାକୁ ଥିବାରୁ ପୂର୍ବରୁ ଏନେଇ ଏକ ଟିମ ଗଠନ କରାଯାଇ ଆଜି ଆଠଗଡ ପରିଦର୍ଶନ କରିଛନ୍ତି ।
ସୂଚନା ମୁତାବକ, ବିଭିନ୍ନ ସମୟରେ କାରାଗାରରେ ଦୁର୍ଦ୍ଦାନ୍ତ ଅପରାଧୀ ରହୁଥିବାରୁ ଏହାର ପ୍ରଭାବ ଅନ୍ୟ କଏଦୀଙ୍କ ଉପରେ ପଡୁଛି । ଯାହାଦ୍ୱାରା ଜେଲର ମାହୋଲ ଖରାପ ହେବାରେ ଲାଗିଛି । ଏକ ସ୍ୱତନ୍ତ୍ର ଜେଲ ଆଠଗଡରେ ହେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏନେଇ ସ୍ଥାନ ଚିହ୍ନଟ କରାଯାଇଛି । ଆଜି ଏକ ସ୍ୱତନ୍ତ୍ର ଟିମ ଆଠଗଡ ଗସ୍ତ କରିଛନ୍ତି ।
ଆଠଗଡରେ ହେବାକୁ ଥିବା ଏହି ସ୍ୱତନ୍ତ୍ର ଜେଲରେ ରହିବ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଏହି ଜେଲ ତିଆରି ପାଇଁ ରହିଛି ୨୦ଏକର ପରିସୀମା ବିଶିଷ୍ଟ ଜମି । ଯେଉଁଠି କି ୪୫୦ ରୁ ୫୦୦ କଏଦୀମାନେ ରହିବାରେ ସକ୍ଷମ ହୋଇପାରିବେ । ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯିବ ଜେଲରେ । ଭାରତରେ ଅନ୍ୟ ରାଜ୍ୟରେ ରହିଥିବାବେଳେ କେବଳ ଏକ ମାତ୍ର ରାଜ୍ୟ ଓଡିଶାରେ ଏହା ହୋଇନାହିଁ । ଏହା ଅତି ଶୀଘ୍ର ହେବାକୁ ଯାଉଛି ବୋଲି ଜେଲ ମହାନିର୍ଦ୍ଦେଶକ ମହେନ୍ଦ୍ର ପ୍ରତାପ ସୂଚନା ଦେଇଛନ୍ତି ।
ଏହି ସ୍ୱତନ୍ତ୍ର ଜେଲରେ ବିଦେଶୀ ଅପରାଧୀ ବି ରହିପାରିବେ । ଯେଉଁମାନଙ୍କର ପରିବାର ଲୋକଙ୍କ ସହ ସମ୍ପର୍କ ନଥିବ ବା ଯୋଗାଯୋଗ ହୋଇପାରୁନଥିବ ସେହିମାନେ ଏହି ଜେଲରେ ରହିବେ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ଯେଉଁ ଜେଲ ଗୁଡିକରେ ଅବସ୍ଥା ଶୋଚନୀୟ ହୋଇଛି । ସେହିପରି ୧୮ଟି ଜେଲ ବନ୍ଦ କରାଯିବାକୁ ନେଇ ରାଜ୍ୟସରକାରଙ୍କ ପାଖରେ ପ୍ରସ୍ତାବ ରଖାଯାଇଛି । ଏହି ଜେଲରେ ମେଟାଲ ଡିଟେକ୍ଟର ଲଗାଯିବ, ଜେଲର ସମସ୍ତ କାନ୍ଥ ଗୁଡିକକୁ ସେନସର କରାଯିବ । କେହିବି ପାଚେରୀ ଡେଇଁ ଅପରାଧିମାନେ ଯାଇପାରିବେ ନାହିଁ ବୋଲି ଜେଲ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଅନ୍ୟ ରାଜ୍ୟରେ ରହିଥିବା ସ୍ୱତନ୍ତ୍ର ଜେଲ ଭଳି ଓଡିଶାରେ ମଧ୍ୟ କରାଯାଉଛି । ରାଜ୍ୟରେ ୭୩ ଉପକାରାଗାର, 9ଟି ଜିଲ୍ଲା କାରାଗାର, ୧ ମହିଳା କାରାଗାର, ୧ ମୁକ୍ତ ଆକାଶ ଜେଲ ଓ ୧ ସ୍ୱତନ୍ତ୍ର ଜେଲ ରହିଛି । ତେବେ ରାଜ୍ୟର ସମସ୍ତ ଜେଲରେ କଏଦୀଙ୍କର ସୁରକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି କାରାଗାର ଅଧିକାରୀ । ଆଠଗଡ ଛଡା ଦଶପଲ୍ଲା ଓ ନୟାଗଡ ଜେଲର ମଧ୍ୟ ସୁରକ୍ଷା କଡାକଡି କରାଯିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ