ଭୁବନେଶ୍ୱର: ଆଗକୁ ଆସୁଛି ନିର୍ବାଚନ। ସେଥିପାଇଁ ଏବେ ଠାରୁ ରାଜନୈତିକ ଦଳ ଗୁଡିକ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇବ। ତେବେ ପ୍ରିଣ୍ଟ ଦୋକାନରେ ଫ୍ୟାକ୍ସ, ବ୍ୟାନର ସବୁ ତିଆରି ହେବ। ଆଉ ସେହି ଫ୍ୟାକ୍ସ, ବ୍ୟାନରରେ ଲାଗିବ ଅନେକ ରାସାୟନିକ ରଙ୍ଗ।
ଆଉ ବର୍ତ୍ତମାନ ଯୁଗରେ ମେସିନରେ ତିଆରି ଫ୍ୟାକ୍ସ ଓ ବ୍ୟାନରର ଚାହିଦା ବଢୁଛି। କାରଣ କମ ସମୟରେ ବହୁତ ବ୍ୟାନର ତିଆରି ହୋଇପାରୁଛି। ଯାହାର ପ୍ରଭାଵ ସିଧାସଳଖ ଭାବରେ ତୂଳୀ କାରିଗର ବା ପେଣ୍ଟରଙ୍କ ଜୀବିକା ଉପରେ ପଡୁଛି। ଏହା ବ୍ୟତୀତ ମେସିନରେ ତିଆରି ଫ୍ୟାକ୍ସ, ବ୍ୟାନରରେ ବ୍ୟବହାର ହେଉଥିବା ରଙ୍ଗ ସବୁ ରାସାୟନିକ ହୋଇଥିବାରୁ ଶରୀର ସହ ପରିବେଶ ଉପରେ କୁପ୍ରଭାବ ପଡୁଛି।
ଯଦି ଆଗାମୀ ନିର୍ବାଚନରେ ମେସିନ ତିଆରି ଫ୍ୟାକ୍ସ, ବ୍ୟାନର ନିଷେଧ ନ ହୁଏ, ଶ୍ରମିକ ସାମାଜିକ ନିରାପତ୍ତା ବୋର୍ଡ ଅଧିନରେ ପଞ୍ଜିକରଣ କରି ପରିଚୟ ପତ୍ର ନ ଦିଅନ୍ତି ଓ ସ୍କୋୟାର ଫୁଟ ହିସାବରେ ସର୍ବନିମ୍ନ ମଜୁରୀ ପ୍ରଦାନ ନ କରନ୍ତି, ତେବେ ଆଗାମୀ ଦିନରେ ନିଖିଳ ଓଡ଼ିଶା ଚିତ୍ରକାର ଓ ବିଜ୍ଞାପନ ପ୍ରସାର ଶ୍ରମିକ ସଂଘ ଭୋଟ ବର୍ଜନ କରିବ ବୋଲି ଚେତାବନୀ ଦେଇଛି।
ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ