ଭୁବନେଶ୍ବର: କେଇ ଘଣ୍ଟାର ପ୍ରଳୟଙ୍କରୀ ଲୀଳା ପରେ ଶାନ୍ତ ପଡିଛି ସାମୂଦ୍ରିକ ଝଡ ‘ଫନି’ । ରାଜ୍ୟ ଅତିକ୍ରମ କରି ଏବେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶରେ ତାଣ୍ଡବ ରଚୁଛି ‘ଫନି’ । ବାତ୍ୟା ଚାଲିଯାଇଛି ସତ ହେଲେ ଛାଡି ଯାଇଛି ପାଦ ଚିହ୍ନ । ଫଳରେ ଏବେ ଜଳାଭାବରେ ଲୋକେ । ମୁଖ୍ୟତଃ ରାଜଧାନୀର ଚନ୍ଦ୍ରଶେଖରପୁର ବିଡିଏ ଅଞ୍ଚଳରେ ଜଳ ସଙ୍କଟକୁ ନେଇ ଭୟଙ୍କର ପରିସ୍ଥିତି ଦେଖାଦେଇଛି ।
ବାତ୍ୟା ଯୋଗୁଁ ବିଦ୍ୟୁତ ସେବା ସହ ଟେଲିକମ୍ ସେବା ମଧ୍ୟ ଠପ୍ ହୋଇ ପଡିଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟବାସୀ । ତେବେ ଫନି ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ରାଜଧାନୀବାସୀ । ଟେଲିକମ୍ ସେବା ବନ୍ଦ ପଡିଥିବାରୁ ପାଣି ପାଇଁ କାହାକୁ ଯୋଗାଯୋଗ କରିପାରୁନାହାନ୍ତି ଲୋକେ ।
ଏଭଳି ସ୍ଥିତିରେ ସରକାରୀ ଟ୍ୟାଙ୍କର ଯୋଗେ ପାଣି ପହଞ୍ଚାଇବା ପାଇଁ ଗଣମାଧ୍ୟମ ଜରିଆରେ ଅନୁରୋଧ କରୁଛନ୍ତି କ୍ଷତିଗ୍ରସ୍ତ ଲୋକେ । ଟେଲିକମ୍ ସେବା ବନ୍ଦ ହୋଇ ପଡିଥିବାରୁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି ଲୋକେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ