ଭୁବନେଶ୍ବର: ରାଜଧାନୀରେ ଠାବ ହେଲା ବନ୍ଧୁକ ତିଆରି କାରଖାନା । କୌଣସି ନିଚ୍ଛାଟିଆ ଅଞ୍ଚଳରେ ନୁହେଁ ବରଂ ଓୟୁଏଟି ସରକାରୀ କ୍ବାର୍ଟରରେ ଚାଲିଥିଲା ଏହି ବନ୍ଧୁକ ତିଆରି କାରଖାନା । ଘଟଣାରେ ସରକନ୍ତରା ଅଞ୍ଚଳର ଓୟୁଏଟି କର୍ମଚାରୀ ନୃସିଂହ ନାୟକଙ୍କୁ ଗିରଫ କରାଯିବା ସହ 3 ଅର୍ଦ୍ଧନିର୍ମିତ ବନ୍ଧୁକ, ବନ୍ଧୁକ ତିଆରି ସାମଗ୍ରୀ ଓ ବିପୁଳ ବାରୁଦ ଜବତ କରିଛି ଖଣ୍ଡଗିରି ପୋଲିସ ।
ସୂଚନା ଅନୁଯାୟୀ, ରବିବାର ରାତିରେ ଓୟୁଏଟି ସରକାରୀ କ୍ବାର୍ଟରରେ ଏକ ବିସ୍ପୋରଣ ହୋଇଥିଲା । ଯେଉଁଥିରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପୋଲିସକୁ ଖବର କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ଓୟୁଏଟି କର୍ମଚାରୀ ନୃସିଂହ ନାୟକଙ୍କୁ ଗିରଫ କରିଥିଲା ।
ତେବେ ନୃସିଂହଙ୍କ ନାମରେ ପୂର୍ବରୁ ମଧ୍ୟ ଥାନାରେ ଅନେକ ମାମଲା ରହିଥିବା ସୂଚନା ଦେଇଛି ପୋଲିସ । ପ୍ରକାଶ ଯେ 2016 ମସିହାରେ ସରକନ୍ତରା ଗ୍ରାମରେ ନିଜ ପରିବାର ସହ ବାଣ ତିଆରି କରୁଥିବାବେଳେ ବଡ଼ ଭାଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏନେଇ ନୃସିଂହଙ୍କ ଗାଁରେ ଅନେକ ଶତ୍ରୁ ମଧ୍ୟ ରହିଛନ୍ତି । ତେବେ କେଉଁଠାରୁ କଞ୍ଚାମାଲ ଆଣୁଥିଲେ, କାହାକୁ ଦେଇଥାନ୍ତେ, କେଉଁଥି ପାଇଁ ବନ୍ଧୁକ ଓ ବୋମା ବ୍ୟବହାର କରିଥାନ୍ତେ, ସେ ନେଇ ବିଭିନ୍ନ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।
ଅନ୍ୟପଟେ ନୃସିଂହଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ପରିବାର ସଦସ୍ୟ ଜାଣିଥିଲେ ମଧ୍ୟ ସେମାନଙ୍କୁ ସେ ଖେଳନା ବୋଲି କହିଆସୁଥିଲେ । ତେଣୁ ନିଜ କ୍ବାର୍ଟରରେ ଏପରି କାରନାମା ନକରି ପାଖରେ ଥିବା ଏକ ଖାଲି କ୍ବାର୍ଟରରେ ଦୀର୍ଘ ଦିନ ହେଲା ସେ ଏପରି କାର୍ଯ୍ୟକଳାପ କରିଆସୁଥିଲେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ