ବୌଦ୍ଧ: ସାନ ସଢୁଙ୍କୁ ଯୌତୁକ ବାବଦରେ ମୋଟର ସାଇକେଲ ଦିଆଯିବାରୁ ନିଜ ପାଇଁ ଏକ ଗାଡି ଦାବି କରି ବଶିଷ୍ଠ ପ୍ରଧାନ ତାଙ୍କ ସ୍ତ୍ରୀଙ୍କୁ ଦୀର୍ଘଦିନ ହେଲା ନିର୍ଯାତନା ଦେଇ ଆସୁଥିଲେ । ଏବେ 8 ଦିନ ହେଲା ଉକ୍ତ ମହିଳା ନିଖୋଜ ।
ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କାଶଲପୁର ଗ୍ରାମର ବଶିଷ୍ଠ ପ୍ରଧାନ ଗତ ପ୍ରାୟ 12ବର୍ଷ ତଳେ ଇଛାପୁର ଗାଁରେ ପଙ୍କଜିନୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ପଙ୍କଜିନୀଙ୍କ 5ଭଉଣୀ ହୋଇଥିବା ବେଳେ ପରେ ଅନ୍ୟ 2ଭଉଣୀଙ୍କ ବିବାହରେ ଯୌତୁକ ବାବଦରେ ମୋଟର ସାଇକେଲ ଦିଆଯାଇଥିଲା । ବଶିଷ୍ଠ ମଧ୍ୟ ଏକ ମୋଟର ସାଇକେଲ ଦାବି କରି ଦୀର୍ଘ ଦିନ ହେଲା ପଙ୍କଜିନୀଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ପଙ୍କଜିନୀଙ୍କ ପରିବାର ଅଭିଯୋଗ କରିଛନ୍ତି । କିନ୍ତୁ ନିଜର ଦୁଇଟି ଛୁଆର ମୁହଁକୁ ଚାହିଁ ପଙ୍କଜିନୀ ସବୁ ନିର୍ଯାତନା ସହୁଥିଲେ । ଏବେ ଦୀର୍ଘ ଆଠ ଦିନ ହେଲା ପଙ୍କଜିନୀ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏହାକୁ ନେଇ ପଙ୍କଜିନୀଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ବୌଦ୍ଧ ଥାନା ସ୍ବାମୀ ବଶିଷ୍ଠଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ