ବୌଦ୍ଧ: ପାଣି ପାଇଁ ହନ୍ତସନ୍ତ ବୌଦ୍ଧ ପୌର ପରିଷଦର ପାଞ୍ଚ ନମ୍ବର ଓ୍ବାର୍ଡବାସୀ । ସ୍ଥାନୀୟ ମହିଳା ମାନେ ମଧ୍ୟ ପାନୀୟ ଜଳ ଅଭାବକୁ ନେଇ ସମ୍ପୃକ୍ତ ଅଫିସକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ।ଏପଟେ ରମଜାନ ମାସ ଚାଲିଥିବାରୁ ବସ୍ତିରେ ବାସ କରୁଥିବା ମୁସଲିମ ସମ୍ପ୍ରଦାୟ ମଧ୍ୟ ପାଣିକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।
ବୌଦ୍ଧ ପୌରପରିଷଦର ପାଞ୍ଚ ନମ୍ବର ଓ୍ବାର୍ଡରେ ରହିଛି ସହରାଞ୍ଚଳ ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ । ଏହି ଓ୍ବାର୍ଡ ଅଧିନରେ ଆସିଥାଏ ଖଦାଳସାହି ଓ ମୁସଲିମ ପଡାର ଏକ ଅଂଶ ରହିଛି । ବର୍ତ୍ତମାନ ପାନୀୟ ଜଳଯୋଗାଣର ଘୋର ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି । କେଉଁଠି ଅଳ୍ପ କିଛି ପାଣି ଆସୁଥିବା ବେଳେ କେଉଁଠି ପାଣି ଆସୁନାହିଁ ।
ଏପଟେ ପବିତ୍ର ରମଜାନ ମାସ ଚାଲିଥିବାରୁ ମସଜିଦ ସମ୍ମୁଖରେ ଥିବା ପାଇପରେ ଠିକ ଭାବେ ପାଣି ଆସୁନଥିବାରୁ ମୁସଲିମ ସମ୍ପ୍ରଦାୟର ଲୋକମାନେ ପ୍ରାର୍ଥନା ପାଇଁ ଅନ୍ୟତ୍ର ଥିବା ନଳକୂପର ସାହାରା ନେଉଛନ୍ତି । ଅତିଶୀଘ୍ର ଏଠାରେ ପାନୀୟ ଜଳଯୋଗାଣ ସ୍ବାଭାବିକ କରିବାକୁ ଦାବି ହୋଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି ,ଇଟିଭି ଭାରତ