ବୌଦ୍ଧ: ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଛି ସେତୁ ନିର୍ମାଣ କାର୍ଯ୍ୟ । ବୌଦ୍ଧ ଜିଲ୍ଲାର ମହାନଦୀ ଉପରେ, ରାସ୍ତା ଉପରେ ଓ ରେଳପଥ ପାଇଁ ବିଭିନ୍ନ ସ୍ଥାନରେ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ବୌଦ୍ଧ ମର୍ଜାକୁଦ ସେତୁ ଗତ କିଛି ମାସ ତଳେ ଏକ ଛାତ ଭୁଷୁଡି ପଡିଥିବା ବେଳେ ଏହି ସେତୁ ଓ ଧଳପୁର ମହାନଦୀ ସେତୁ ନିର୍ମାଣ କାର୍ଯ୍ୟରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି ।
ସେପଟେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଜୋରଦାରରେ ଚାଲିଥିବା ବେଳେ ଗତକାଲି(ଶନିବାର) ସଂଧ୍ୟାରେ ଏକ ନିର୍ମାଣାଧିନ ସେତୁ ଭୁଷୁଡି ପଡିଛି । ବୌଦ୍ଧ ଜିଲ୍ଲା ପୁରୁମୁଣ୍ଡା ନିକଟରେ ଏଭଳି ଅଘଟଣ ଘଟିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ତେବେ ନିମ୍ନ ମାନର ବାଲି, ଗୋଡି, ମେଟାଲ ବ୍ୟବହାର ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଠିକ ସେହି ସମୟରେ ହିଁ ବାଉଁଶୁଣୀ ନିକଟରେ ବାଘନଦୀ ଉପରେ ନିର୍ମାଣାଧିନ ସେତୁର ଏକ କଂକ୍ରିଟ ସ୍ଲାବ ମଝିରୁ ଭାଙ୍ଗି ଯିବା ସମସ୍ତଙ୍କୁ ଚିନ୍ତିତ ତଥା ଆତଙ୍କିତ କରିଛି ।
ନିର୍ମାଣ କାର୍ଯ୍ୟରେ ଉପଯୁକ୍ତ ମାନର ସାମଗ୍ରୀ ଓ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହୁନଥିବା କାରଣରୁ ଏଭଳି ସମସ୍ୟା ଉପୁଜୁଥିବା ମଧ୍ୟ ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ