ବୌଦ୍ଧ: ଏଣିକି ସମାଜର ମୁଖ୍ୟ ଧାରାରେ ସାମିଲ ହେବେ କିନ୍ନର । କିନ୍ନରଙ୍କୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନର ନିଆରା ପ୍ରଚେଷ୍ଟା । ଆଜି(ମଙ୍ଗଳବାର) ଜିଲ୍ଲାର କିନ୍ନରଙ୍କୁ ପରିଚୟ ପତ୍ର ପ୍ରଦାନ ସହ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ସ୍ବାତୀ ଅନୁଷ୍ଠାନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଏଥିପାଇଁ ବୌଦ୍ଧ ଜିଲ୍ଲାରୁ 22 ଜଣ କିନ୍ନର ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ସରକାରଙ୍କ ନିତିକୁ ଆଧାର କରି କିନ୍ନରଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର 6 ଜଣ କିନ୍ନରଙ୍କୁ ଜିଲ୍ଲାପାଳ ପରିଚୟ ପତ୍ର ପ୍ରଦାନ କରିଛନ୍ତି ।
କିନ୍ନରମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ମଧ୍ୟ ସାମିଲ କରାଯିବ ବୋଲି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି । ସେପଟେ କିନ୍ନର ସମାଜ ପକ୍ଷରୁ ମଧ୍ୟ ଏଭଳି ପଦକ୍ଷେପକୁ ସ୍ବାଗତ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ