ବୌଦ୍ଧ: ଏକମାତ୍ର ପୌରାଞ୍ଚଳରେ କରୋନା ସମୟରେ ସ୍ବଛତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ବୌଦ୍ଧ ପୌରାଞ୍ଚଳ ପକ୍ଷରୁ ପ୍ରତ୍ୟେକ ଦିନ 17ଟି ଓ୍ବାର୍ଡରୁ ଅଳିଆ ସଂଗ୍ରହ କରି ଜରିଖଣ୍ଡି ଠାରେ ଥିବା ଅଣୁ ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ରକୁ ଅଣାଯାଉଛି । ତେବେ ଏହି ପ୍ରକ୍ରିୟାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଓଦା ଓ ଶୁଖିଲା ଅଳିଆକୁ ପୃଥକୀକରଣ କରିବା ।
ତେବେ ଏହି ଲମ୍ବା ପ୍ରକ୍ରିୟାରେ ସହଯୋଗ ପାଇଁ ବୌଦ୍ଧର କିଛି ବରିଷ୍ଠ ସଚେତନ ନାଗରିକ ସହଯୋଗ କରୁଛନ୍ତି । ନିଜେ ନିଜର ଅଳିଆକୁ ପୃଥକୀକରଣ କରିବା ସହ ଅଳିଆ ଆବର୍ଜନା ଏଣେତେଣେ ନପକାଇବାକୁ ଲୋକଙ୍କୁ ସଚେତନ କରୁଛନ୍ତି ।
ଏଭଳି କିଛି ସଚେତନ ବୟସ୍କ ନାଗରିକଙ୍କୁ ଚିହ୍ନଟ କରି ପୌର ପ୍ରଶାସନ ସେମାନଙ୍କ ବାଡିରେ ଜୈବିକ ଚାଷ ପାଇଁ ଉତ୍ସାହିତ କରିବାକୁ ‘ମୋ ଖତ’ ପ୍ରଦାନ କରୁଛନ୍ତି । ପୌର ପ୍ରଶାସନର ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ