ବୌଦ୍ଧ: କୂଳ ଲଙ୍ଘୁଛି ନଦୀ । ବର୍ଷାଦିନ ଆସିଲେ ନଦୀକୂଳିଆଙ୍କ ଛାତିରେ ଛନକା ପଶୁଛି । ବୌଦ୍ଧ ଜିଲ୍ଲା ତେଲନଦୀ ଓ ମହାନଦୀ କୂଳ ଲଙ୍ଘିବା ଫଳରେ ଲୋକମାନେ ଭୟରେ ଦିନ କାଟୁଛନ୍ତି । ଏନେଇ ପ୍ରଶାସନକୁ ଦୃଷ୍ଟି ଦେବାକୁ ଦାବି ହୋଇଛି ।
ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ଓ ତେଲନଦୀ କୂଳରେ ଅବସ୍ଥିତ ଅନେକ ଅଞ୍ଚଳ ପ୍ରତ୍ୟେକ ବର୍ଷ ବନ୍ୟା ପାଣି ଯୋଗୁଁ କୂଳ ଖାଇବାରେ ଲାଗିଛି। ତେଲନଦୀ ଯୋଗୁଁ କଣ୍ଟାମାଳ ଓ ମନମୁଣ୍ଡା ଅଞ୍ଚଳର ଅନେକ ନଦୀକୂଳିଆ ଅଧିବାସୀଙ୍କ ସମେତ ମହାନଦୀ ଯୋଗୁଁ ନଦୀକୂଳରେ ଥିବା ମସିଣାପଡା,ସାହୁପଡା, ଦହ୍ୟା, ମହେଶ୍ବରପିଣ୍ଡା, ତେନ୍ତୁଳିପାଲି, କୋଡାସିଙ୍ଗା ଓ ହରଭଙ୍ଗା ବ୍ଲକର ଅନେକ ନଦୀକୂଳିଆ ଅଧିବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଗୋଟିଏ ପଟରେ ନଦୀ କୂଳ ଖାଉଥିବା ବେଳେ ଅନ୍ୟ ପଟରେ ପୁରୁଷାନୁକ୍ରମେ ଜୀବିକା ନିର୍ବାହ କରି ବଞ୍ଚୁଥିବା ମଣିଷର ଜୀବନ ପ୍ରତି ମଧ୍ୟ ବିପଦ ମାଡି ଆସୁଛି ।
ଏଭଳି ନଦୀକୂଳିଆ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବିପର୍ଯ୍ୟୟ ସମ୍ମୁଖୀନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । କୋଡାସିଙ୍ଗା ଭଳି ଗ୍ରାମବାସୀଙ୍କ ପାଇଁ ସରକାର ସ୍ବତନ୍ତ୍ର ନବୀନ ବସ୍ତିର ଯୋଜନା କରିଥିଲେ ମଧ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଅଭାବରୁ ଲୋକେ ପୁଣି ନିଜ ଭିଟାମାଟିକୁ ଫେରିଯାଉଛନ୍ତି । ଏଭଳି ଅନେକ ଉଦାହରଣ ରହିଥିବା ବେଳେ ନଦୀକୂଳର ସୁରକ୍ଷା ପାଇଁ ପଥର ପେଚିଂ, ଓ୍ବାଲ ବନ୍ଧା ଭଳି କାର୍ଯ୍ୟକ୍ରମ ସହିତ ଏକ ଦୀର୍ଘ ମିଆଦୀ ଯୋଜନାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ