ବୌଦ୍ଧ: ଆଉଟସୋର୍ସିଂ ପ୍ରଥାକୁ ଉଛେଦ କରି ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ସମାନ କାମକୁ ସମାନ ଦରମା ପ୍ରଦାନ ପାଇଁ ମଧ୍ୟ ଦାବି କରାଯାଇଛି। ଏନେଇ ବିକ୍ଷୋଭ ପ୍ରଦର୍ଶନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଆଉଟ ସୋର୍ସିଂ କର୍ମଚାରୀ ମହାସଂଘ । ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି ସଂଘ।
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାର 3 ଟି ବ୍ଲକ ସମେତ ଜିଲ୍ଲା ସଦର ମହକୁମାର ବିଭିନ୍ନ କାର୍ଯ୍ୟାଳୟରେ ଶତାଧିକ ଆଉଟସୋର୍ସିଂ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଦୁର୍ଦ୍ଦିନରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଆଉଟ ସୋର୍ସିଂ କର୍ମଚାରୀଙ୍କୁ ମାସିକ ସ୍ବଳ୍ପ ବେତନରେ ଚଳିବାକୁ ପଡୁଛି। ଆଜିର ମହଙ୍ଗା ଯୁଗରେ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡିଛି । ତେବେ ସେମାନଙ୍କ ସମସ୍ୟା ସମ୍ପର୍କରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଏନେଇ ବୌଦ୍ଧ ଜିଲ୍ଲାର ଶତାଧିକ ଆଉଟସୋର୍ସିଂ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ ସହିତ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ଗତ 1 ତାରିଖଠାରୁ 42 ଶହ ଗ୍ରେଡ-ପେ କୁ ନେଇ ମିଳିତ ଅମଲା କର୍ମଚାରୀଙ୍କ ଚାଲିଥିବା ଆନ୍ଦୋଳନ ସାମୟିକ ସ୍ଥଗିତ ହୋଇଥିବା ବେଳେ ଆଜି ପୁଣିଥରେ ଆଉଟ ସୋର୍ସିଂ କର୍ମଚାରୀମାନେ ସେମାନଙ୍କୁ ସ୍ଥାୟୀ କରାଯିବାକୁ ଦାବି କରିଛନ୍ତି । ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା ଶତାଧିକ ଆଉଟ ସୋର୍ସିଂ କର୍ମଚାରୀ ଏଭଳି କ୍ରିତଦାସ ପ୍ରଥାକୁ ଉଛେଦ ପାଇଁ ଦାବି କରିଛନ୍ତି । ଏହା ସହିତ ସମାନ କାମକୁ ସମାନ ଦରମା ସହିତ ଆଉଟସୋର୍ସିଂ ପ୍ରଥା ଉଛେଦ କରି ସମସ୍ତ କର୍ମଚାରୀଙ୍କୁ ନିୟମିତ କରାଯିବାକୁ ଦାବି କରାଯାଇଛି ।
ଜିଲ୍ଲାର ଶତାଧିକ ଆଉଟ ସୋର୍ସିଂ କର୍ମଚାରୀ ସ୍ଥାନୀୟ ମ୍ୟୁଜିୟମ ଛକଠାରୁ ଏକ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଆଉଟ ସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 10 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ବିଶେଷ ଭାବରେ ଏଭଳି କର୍ମଚାରୀଙ୍କୁ ସରକାର ନିୟମିତ କରି ସମାନ କାମକୁ ସମାନ ଦରମା ସହିତ ଇଏସଆଇ, ଇପିଏଫ ଓ ଇନକ୍ରିମେଣ୍ଟ କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି ।
ଇଟିଭି ଭାରତ, ବୌଦ୍ଧ