ବୌଦ୍ଧ: ଚୋରା ଗଞ୍ଜେଇ କାରବାରର ପେଣ୍ଠସ୍ଥଳ ପାଲଟିଛି ବୌଦ୍ଧ ଜିଲ୍ଲା । ଚୋରା ଗଞ୍ଜେଇ କାରବାରକୁ ନେଇ ଜିଲ୍ଲାର ବାଉଁଶୁଣୀ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ତେବେ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ବ୍ୟବହୃତ ଦେଶୀ ବନ୍ଧୁକକୁ ଜବତ କରିଛି ପୋଲିସ । ସେପଟେ ଅନ୍ୟ ଏକ ଘଟଣାରେ ରଥଯାତ୍ରା ଚାନ୍ଦାକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।
ଚୋରା ତଥା ବେଆଇନ ଗଞ୍ଜେଇ କାରବାରକୁ ନେଇ ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅସାମାଜିକ କାର୍ଯ୍ୟ କଳାପ । ଅବକାରୀ ବିଭାଗ ସମ୍ପୂର୍ଣ୍ଣ ଉଦାସୀନ ମନୋଭାବ ଦେଖାଉଥିବା ବେଳେ ବୌଦ୍ଧ ପୋଲିସ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ ଜାରି ରଖିଛି । ରଥଯାତ୍ରା ଦିନ ବାଉଁଶୁଣୀ ପୋଲିସ ଗୁନ୍ଦୁଳିଆ ପଞ୍ଚାୟତ ତିଲପଙ୍ଗା ଗ୍ରାମର ଦୁଇ ଭାଇଙ୍କୁ ଏହି ଲିଙ୍କରେ ସମ୍ପୃକ୍ତି ତଥା ଗୁଳି ଚାଳନା ମାମଲାରେ ଗିରଫ କରିଛି । ସେମାନଙ୍କ ଠାରୁ ଏକ ବନ୍ଧୁକ ଜବତ କରିବା ସହ ତାଙ୍କ ସହିତ କେଉଁ କେଉଁ ବ୍ୟକ୍ତିଙ୍କ ଲିଙ୍କ ରହିଛି ତାର ଖୋଳତାଡ ଆରମ୍ଭ କରିଛି ।
ସେପଟେ ବୌଦ୍ଧ ଧାନ ଗୋଦାମରେ ରଥଯାତ୍ରା ଚାନ୍ଦାକୁ ନେଇ ଜଣେ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ଗିରଫ ହୋଇନଥିବା ବେଳେ ଗୁରୁତର ଆହତଙ୍କୁ ଭୂବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ