ବୌଦ୍ଧ: ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଏଣିକି ହାଇସ୍କୁଲ୍ରେ ବି ମିଳିବ ଉଚ୍ଚ ମାଧ୍ୟାମିକ ଶିକ୍ଷା । ଶିକ୍ଷାର ବିକାଶ ପାଇଁ ହାଇସ୍କୁଲରେ ସଂଲଗ୍ନ ହେଲା ଉଚ୍ଚ ମାଧ୍ୟମିକ ଶ୍ରେଣୀ । ଅଞ୍ଚଳର ମହାବିଦ୍ୟାଳୟ କିମ୍ବା ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ଅଭାବରୁ ଶିକ୍ଷା ଗ୍ରହଣରୁ ଅନେକ ଛାତ୍ରଛାତ୍ରୀ ବଞ୍ଚିତ ହେବା ଆଶଙ୍କା ରହୁଥିଲା । (plus two classes to included with high school) ପ୍ରାୟ ୨୦ରୁ ୨୫ କିଲୋମିଟର ଦୂରରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ ଅତ୍ୟନ୍ତ କଷ୍ଟକର ହୋଇ ପଡିଥିଲା । ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲାର ଦୁଇଟି ହାଇସ୍କୁଲରେ ମାଧ୍ୟମିକ ଶିକ୍ଷାକୁ ସଂଲଗ୍ନ କରିଛନ୍ତି ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ବୀରନରସିଂପୁର ଓ ଅତ୍ୟନ୍ତ ଉପାନ୍ତ ବ୍ରାହ୍ମଣୀପାଲି ଉଚ୍ଚ ବିଦ୍ୟାଳୟ ଦ୍ବୟରେ ଯୁକ୍ତ ଦୁଇ ଶ୍ରେଣୀ ସଂଲଗ୍ନ ହେବ । ଫଳରେ ବ୍ରାହ୍ମଣୀପାଲି ପଞ୍ଚାୟତ ସମେତ ବଘିଆପଡା, ଟିକରପଡା, ଆମ୍ବଝରୀ, ମୁଣ୍ଡାପଡା ଭଳି ପଞ୍ଚାୟତର ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିପାରିବେ । ପୂର୍ବରୁ ଏସବୁ ଅଞ୍ଚଳର ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରେ ଅତ୍ୟନ୍ତ କଷ୍ଟରେ ଦୂର ଦୂରାନ୍ତରକୁ ଯାଇ ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ କରୁଥିଲେ ।
ବ୍ରାହ୍ମଣୀପାଲି ଭଳି ଉପାନ୍ତ ସ୍ଥାନରେ ଥିବା ହାଇସ୍କୁଲରେ ଯୁକ୍ତ ଦୁଇ ଶିକ୍ଷା ମିଳିବା ନେଇ ସୂଚନା ମିଳିବା ପରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ଖୁସି ଜାହିର କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏନେଇ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଗୋଟିଏ ଶିକ୍ଷାନୁଷ୍ଠାନରେ ମାଧ୍ୟାମିକ ସହ ଉଚ୍ଚ ମାଧ୍ୟାମିକ ଶିକ୍ଷା ଦ୍ବାରା ବୌଦ୍ଧ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ନିଶ୍ଚିତ ଉପକୃତ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ ।
ଇଟିଭି ଭାରତ, ବୌଦ୍ଧ