ବୌଦ୍ଧ: ଜିଲ୍ଲାରେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଆଉଟସୋର୍ସିଂ କର୍ମଚାରୀ (outsourcing workers) । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ସମାନ କାମକୁ ସମାନ ଦରମା ଦାବିରେ ଏଭଳି ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୩୫୦ରୁ ଊର୍ଦ୍ଧ୍ବ ଆଉଟସୋର୍ସିଂ କର୍ମଚାରୀ ବିଭିନ୍ନ ସମସ୍ୟାକୁ ନେଇ ରବିବାର ବୌଦ୍ଧ ଟାଉନହଲ ଠାରେ ଏକ ବୈଠକରେ ଆଲୋଚନା କରିଥିଲେ । ଜିଲ୍ଲାର ଅଧିକାଂଶ କାର୍ଯ୍ୟାଳୟରେ ଏହି କର୍ମଚାରୀଙ୍କ ପ୍ରମୁଖ ଭୂମିକା ରହିଥିଲେ ମଧ୍ୟ ସେମାନଙ୍କ ଦରମା ବହୁତ କମ ଥିବାରୁ ସେମାନଙ୍କ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡିଥିବା ଅଭିଯୋଗ କରାଯାଇଛି । ରାଜ୍ୟ ସରକାର ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ଯୋଜନା କରିଥିବା ବେଳେ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ କୌଣସି ବ୍ୟବସ୍ଥା କରିନଥିବାରୁ କର୍ମଚାରୀ ମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ଏଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଚାର କରିବାକୁ ଗୁହାରି କରିଛନ୍ତି ଆଉଟସୋର୍ସିଂ କର୍ମଚାରୀ । ତେବେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ କର୍ମଚାରୀ ମାନେ ଆସନ୍ତା ନଭେମ୍ବର ୧ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏନେଇ ଆଉଟସୋର୍ସିଂ କର୍ମଚାରୀ ସଙ୍ଘର ସଭାପତି ସଞ୍ଜୀତ କୁମାର ଜେନା କହିଛନ୍ତି, "ସମଗ୍ର ରାଜ୍ୟରେ ଲକ୍ଷାଧିକ ଆଉଟସୋର୍ସିଂ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ତେବେ ଜଣେ ସ୍ଥାୟୀ କର୍ମଚାରୀ ସମାନ ଶ୍ରମ ଓ ସମୟ ଦେଇ ୬୦ରୁ ୭୦ ହଜାର ଟଙ୍କା ଦରମା ପାଉଥିବାବେଳେ ଆଉଟସୋର୍ସିଂ କର୍ମଚାରୀ ମାତ୍ର ୭ରୁ ୮ ହଜାର ଦରମା ପାଇବା ପରିତାପର ବିଷୟ । ଏତେ କମ ଟଙ୍କାରେ ପରିବାର ପ୍ରତିପୋଷଣ ଅସମ୍ଭବ ହେଉଛି । ସରକାର ଆମକୁ ସ୍ଥାୟୀ କର୍ମଚାରୀଙ୍କ ଭଳି ସମାନ ସୁବିଧା ପ୍ରଦାନ କରନ୍ତୁ ।" ସେହିଭଳି ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ଭାବେ ନିଯୁକ୍ତି ଦେଇ ସମାନ କାର୍ଯ୍ୟ ପାଇଁ ସମାନ ଦରମା ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଆଉଟସୋର୍ସିଂ କର୍ମଚାରୀ ଋତୁମ୍ବରା ସାହୁ ।
ଇଟିଭି ଭାରତ, ବୌଦ୍ଧ