ବୌଦ୍ଧ: ଜିଲ୍ଲାର ପଞ୍ଚାୟତରେ ଲାଗିରହୁଛି ସମସ୍ୟା । କିଛି ନିର୍ଦ୍ଦିଷ୍ଟ ପଞ୍ଚାୟତରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ବେଳେ ଏବେ ନୂତନ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ଦେଖାଦେଇଛି ବିବାଦ । ବୌଦ୍ଧ ଜିଲ୍ଲାରେ ଗତ ପ୍ରାୟ ପାଞ୍ଚ ବର୍ଷ ତଳେ 57 ଗୋଟି ପଞ୍ଚାୟତକୁ ବୃଦ୍ଧି କରାଯାଇ 69 ପଞ୍ଚାୟତ କରାଯାଇଥିଲା । ତେବେ ହରଭଙ୍ଗା ବ୍ଲକର ରାଧାନଗର, ମହାଲିକପଡା, କରଞ୍ଜକଟା ଭଳି ନୂତନ ପଞ୍ଚାୟତର ନୂତନ ଗୃହ ମଦର ଭିଲେଜରେ ନିର୍ମାଣ କରାଯାଇଛି । କିନ୍ତୁ ସେଭଳି ନୂତନ ପଞ୍ଚାୟତ ପୀତାମ୍ବରପୁରର ନୂତନ କାର୍ଯ୍ୟାଳୟ ଗୃହ ମଦର ଭିଲେଜରେ ନିର୍ମାଣ କରାନଯାଇ ବ୍ରାହ୍ମଣଗାଁଠାରେ ନିର୍ମାଣ ହୋଇଥିବାରୁ ଏହାକୁ ପୀତାମ୍ବରପୁରବାସୀ ବିରୋଧ କରିଛନ୍ତି ।
ସେପଟେ ଜିଲ୍ଲାର ସିମିଳିପଦର, ବଘିଆପଡା, ଘିକୁଣ୍ଡି, ତଳଗାଁ, ଉମା,ଖୁଣ୍ଟିଗୋରା ଭଳି ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି । ସେହିପରି ଜିଲ୍ଲାର ଏକମାତ୍ର ପୌରାଞ୍ଚଳ, ସଦର ମହକୁମାଠାରେ ରହିଥିବା ବେଳେ କଣ୍ଟାମାଳକୁ ଏନଏସିରେ ପରିଣତ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ଏହାଛଡା ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ବାଉଁଶୁଣୀ, ପୁରୁଣାକଟକ, ହରଭଙ୍ଗା ଭଳି ସ୍ଥାନକୁ ଏନଏସିର ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇଛି । ଶନିବାର ବୌଦ୍ଧ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ପ୍ରସ୍ତାବିତ ପୁରୁଣ କଟକ ଏନଏସି ଅଞ୍ଚଳକୁ ବୁଲି ଦେଖିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ