ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଜାତୀୟ ବନ ସହୀଦ ଦିବସ ପାଳିତ ହୋଇଛି । ଜିଲ୍ଲାର ବାମଣ୍ଡା ନର୍ସରୀ ଠାରେ 18ତମ ଜାତୀୟ ବନ ସହୀଦ ଦିବସ ପାଳିତ । ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବାବେଳେ, ଜିଲ୍ଲାରେ ବନ୍ୟପ୍ରାଣୀ, ଜଙ୍ଗଲ ସମ୍ପଦ ସୁରକ୍ଷା ଓ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନେଇ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଜାତୀୟ ବନ ସହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ବନ ବିଭାଗରେ କାର୍ଯ୍ୟ ରତ ସହୀଦ ବନ କର୍ମଚାରୀଙ୍କ ପରିବାରକୁ ସମ୍ମାନୀତ କରାଯାଇଥିଲା । ତେବେ ଏହି ଜାତୀୟ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜାତୀୟସ୍ତରର ବହୁ ବରିଷ୍ଠ ବନ ଅଧିକାରୀ ଯୋଗ ଦେଇଥିଲେ । ଏନେଇ କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଓ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା ।
ବୌଦ୍ଧ ବନଖଣ୍ଡ ର ଅଧିକାଂଶ ଜଙ୍ଗଲ ବର୍ତ୍ତମାନ ମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କ କବଜାରେ ରହିଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ବେଆଇନ ଗଞ୍ଜେଇ ଚାଷ ଠାରୁ ନେଇ କପାଚାଷ ସବୁ ଆଭ୍ୟନ୍ତରୀଣ ଜଙ୍ଗଲରେ ପରିପୃଷ୍ଟ ହେଉଥିବା ଅଭିଯୋଗ ହେଉଛି । କିନ୍ତୁ ବନ ବିଭାଗ ଏନେଇ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛି । ସେପଟେ ଜିଲ୍ଲା ମଧ୍ୟ ଦେଇ ନିର୍ମାଣ ହେବାକୁ ଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପ୍ରକଳ୍ପ ଏହି ଜଙ୍ଗଲ ଜମି ଯୋଗୁଁ ଅଧାରେ ଅଟକି ଯାଇଥିବାରୁ ଏନେଇ ବନ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ଆରସିସିଏଫ ପି କେ ମିଶ୍ର ଏନେଇ କହିଛନ୍ତି, "ଏ ସଂକ୍ରାନ୍ତରେ ୟୁଜର୍ସ ଏଜେନ୍ସି ଦ୍ବାରା କେତେ ଗୁଡିଏ କମ୍ପ୍ଲେନ୍ସ କରିବା ବାକି ଅଛି । ଯଦି ୟୁଜର୍ସ ଏଜେନ୍ସି ସେହି କମ୍ପ୍ଲେନ୍ସ ଗୁଡାକ କରନ୍ତି, ତାହାଲେ ପ୍ରକଳ୍ପ ନିଶ୍ଚିତ ଭାବରେ ଆଗକୁ ବଢିବ । ଫରେଷ୍ଟ ଡିପାର୍ଟମେଣ୍ଟ ଦ୍ବାରା ଯାହା ସବୁ କାମ ଥିଲା ସେସବୁ ସରିଛି ।"
ଇଟିଭି ଭାରତ, ବୌଦ୍ଧ