ବୌଦ୍ଧ: ଦୁର୍ଗମ ଅଞ୍ଚଳର ଅଧିବାସୀ ଏଣିକି ଦେଖିବେ ବିକାଶର ଆଲୋକ । ପାହାଡି ଝରଣା ବଣ ମୂଲକର ଅଧିବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ବର୍ତ୍ତମାନ ନିର୍ମାଣ ହେବ ସେତୁ । ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ।
ବଣ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ବିଛିନ୍ନାଞ୍ଚଳରେ ପହଞ୍ଚିବ ବିକାଶର ଆଲୋକ । କାଳକାଳ ଧରି ପାହାଡ ଝରଣା ଏସବୁ ଅଞ୍ଚଳକୁ ବିଛିନ୍ନ କରି ରଖିଥିବା ବେଳେ ବର୍ତ୍ତମାନ ଉକ୍ତ ପାହାଡି ଝରଣା ଉପରେ ନିର୍ମାଣ ହେବ ସୁଉଚ୍ଚ ସେତୁ । ବୌଦ୍ଧ ଜିଲ୍ଲାର ଉପାନ୍ତ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ଦମଣ୍ଡା, ବରପଦର, ଲକଡପାଜୁ, ସାଲଦରଙ୍ଗା, ଚରିଆପାଲି, ସିକାଓରା, ନୂଆସାହି ଭଳି ୮ ଖଣ୍ଡ ଆଦିବାସୀ ଅଧ୍ୟୁଷିତ ଗ୍ରାମ ରହିଛି । ତେବେ ବୁରଗୋରାଠାରୁ ବରପଦର ଗ୍ରାମ ରାସ୍ତାରେ ଥିବା ଲକ୍ଷ୍ମୀ ନାଳ ଯୋଗୁଁ ବର୍ଷର ଅଧିକାଂଶ ସମୟ ଏସବୁ ଗ୍ରାମର ଅଧିବାସୀ ବିଛିନ୍ନାଞ୍ଚଳ ଭଳି ଜୀବନ ବିତାଇଥାନ୍ତି ।
ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ଜବତ ହେଲା 11 ଲକ୍ଷ
ଆବାସ, ରାସନ, ପାନୀୟଜଳ, ସାମାଜିକ ସୁରକ୍ଷା ଭଳି ସରକାରଙ୍କ କଲ୍ୟାଣକାରୀ ଯୋଜନା ଏସବୁ ଅଞ୍ଚଳରେ ଠିକ୍ରେ ପହଞ୍ଚି ପାରୁନାହିଁ । ଏହାଛଡା ଗମନାଗମନର ସମସ୍ୟା ହେତୁ ଆମ୍ବୁଲାନ୍ସ ସେବା ଏସବୁ ଅଞ୍ଚଳରେ ବାଧାପ୍ରାପ୍ତ ହୋଇଥାଏ । ତେବେ ବର୍ତ୍ତମାନ ଉକ୍ତ ଲକ୍ଷ୍ମୀ ନାଳ ଉପରେ ରାଜ୍ୟ ସରକାର ବିଜୁ ସେତୁ ମାଧ୍ୟମରେ ଏକ ସୁଉଚ୍ଚ ସେତୁ ନିର୍ମାଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିବା ସହିତ ଏହି ସେତୁ ଅଞ୍ଚଳ ପାଇଁ ବିକାଶର ସେତୁ ପାଲଟିବ ବୋଲି ଆଶା ପ୍ରକାଶ କରିଛନ୍ତି । ଏଭଳି କାର୍ଯ୍ୟ ବର୍ତ୍ତମାନ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି ।
ଏନେଇ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, "ବରପଦର ନିକଟରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ବୌଦ୍ଧ ଜିଲ୍ଲାର ଅନ୍ୟ ସବୁ ସ୍ଥାନରେ ମଧ୍ୟ ପର୍ଯ୍ୟାୟକ୍ରମେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ସେତୁ ନିର୍ମାଣ କରାଯିବ ।"
ଇଟିଭି ଭାରତ, ବୌଦ୍ଧ