ବୌଦ୍ଧ: ଆରମ୍ଭ ହୋଇଗଲାଣି ପିକ୍ନିକ୍ ଋତୁ । ପରିବାର ସହ ଟିକେ ବାହାରେ ସମୟ ବିତାଇବାକୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ଦୀର୍ଘ 2 ବର୍ଷ ପରେ କୋରୋନା କଟକଣା କୋହଳ ହେବା ପରେ ସମସ୍ତେ ପ୍ରାକୃତିକ ପରିବେଶରେ ଟିକେ ସମୟ ଅତିବାହିତ କରିବାକୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ । ସେହିପରି ପ୍ରାକୃତିକ ପରିବେଶର ଭରପୂର ବୌଦ୍ଧ ଜିଲ୍ଲାକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୁଏ । ଏଥର ମଧ୍ୟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଭିଡ ଲଗାଇଲେଣି ପର୍ଯ୍ୟଟକ । ଏଥିରୁ କେମିତିବା ବାଦ୍ ପଡିବ ମର୍ଜାକୁଦ ଦ୍ବୀପ ।
ପ୍ରାକୃତିକ ପରିବେଶରେ ନିଜକୁ ହଜାଇ ଦେବାକୁ ଏଠି ଲାଗୁଛି ପର୍ଯ୍ୟଟକଙ୍କ ଖଚାଖଚ ଭିଡ । କିଏ ବଣଭୋଜି କରୁଛି ତ କିଏ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜ୍ଜା ଉଠାଉଛି । ବିଶେଷ ଭାବରେ ଛାଡଖାଇ ଠାରୁ ଶୀତ ଋତୁ ଶେଷ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ଶୀତଳପାଣି, କୁମ୍ଭିଦରହ, ସମାଡାଙ୍ଗୀ, ଲୁଣ୍ଡୁରୁ, ବାଘ ବ୍ୟାରେଜ, ପାଲଝାର ଡ୍ୟାମ, ଖଣ୍ଡିକନପା,ରାମଗଡ ସମେତ ପର୍ଯ୍ୟଟକଙ୍କୁ ସର୍ବାଧିକ ଆକର୍ଷିତ କରୁଛି। ଏଠାରେ ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପ ଏବଂ ଓଡ଼ିଶାର ପ୍ରଥମ ପରିବେଶ ଭିତ୍ତିକ ସଫାରୀ ନନ୍ଦନବନ ।
ଜିଲ୍ଲାର ଏଭଳି କୋଡିଏରୁ ଊର୍ଦ୍ଧ୍ବ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରିବା ସହିତ ଅକ୍ସି ଟୁରିଜିମ ମାଧ୍ୟମରେ ଏହାର ବିକାଶ ପାଇଁ ଉଦ୍ୟମ କରୁଛି । ତେବେ ବଣଭୋଜି ପାଇଁ ଜିଲ୍ଲାର ଏଭଳି ମନୋରମ ସ୍ଥାନରେ ଜିଲ୍ଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଥିବା ବେଳେ ମର୍ଜାକୁଦରେ ସନ୍ଧ୍ୟା ସମୟରେ ନିଆରା ନଦୀ ଭୋଜି ସବୁଠାରୁ ଆକର୍ଷଣୀୟ ହୋଇଥାଏ । କାରଣ ମହାନଦୀରୁ ମାଛ ଧରାଯାଇ ବିନା ତେଲ ମସଲାରେ ପ୍ରସ୍ତୁତ ସୁସ୍ବାଦୁ ଖାଦ୍ୟ ଏକ ନିଆରା ଅନୁଭୂତି ପ୍ରଦାନ କରିଥାଏ ।
ଇଟିଭି ଭାରତ,ବୌଦ୍ଧ