ବୌଦ୍ଧ: ସ୍ବାଧିନତାକୁ ଅନେକ ବର୍ଷ ବିତିଯାଇଛି । ହେଲେ ଆଜି ବି ଅନେକ ଲୋକ ଅନ୍ଧାରରେ ଜୀବନ ବିତାଉଛନ୍ତି । ଅନେକ ଲୋକ ବିଦ୍ୟୁତ ସେବାରୁ ବଞ୍ଚିତ ହେବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବୌଦ୍ଧ ଜିଲ୍ଲାରେ ଦିଗହାର ହୋଇଛି ବିଦ୍ୟୁତ ସେବା । ଏ ଯାଏଁ ଜିଲ୍ଲାର ପ୍ରାୟ ପରିବାରକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ ।
ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ଦେଢ ଶହରୁ ଉର୍ଦ୍ଧ୍ବ ଗ୍ରାମ ରହିଥିବାବେଳେ ସେଥିରୁ ଅନେକ ସ୍ଥାନକୁ ଆଜି ପର୍ଯ୍ୟନ୍ତ ବିଜୁଳି ପହଞ୍ଚି ପାରିନାହିଁ । ଫଳରେ ଆଜି ମଧ୍ୟ ଶହ ଶହ ପରିବାର ଡିବି ଓ ଲଣ୍ଠନ ଜାଳି ରହୁଛନ୍ତି । ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ମଧୁପୁର ଗ୍ରାମ ଏକ ଉଦାହରଣ ମାତ୍ର । ଯେଉଁଠି ପ୍ରାୟ ୧୫ଟି ପରିବାର ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ପାଇପାରି ନାହାନ୍ତି । ବାରମ୍ବାର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଆଜିକାଲି କହି ଲୋକଙ୍କୁ ଭଣ୍ଡାଯାଉଥିବା ଅଭିଯୋଗ ହୋଇଛି ।
ସେପଟେ ଅନେକ ଗ୍ରାମରେ ସୌଭାଗ୍ୟ ଯୋଜନା ମାଧ୍ୟମରେ ଗରିବ ପରିବାରକୁ ବିଜୁଳି ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ କେବଳ ମିଟର ଓ ତାର ଝୁଲାଇ ଦିଆଯାଇଛି ହେଲେ ବିଜୁଳି ନାହିଁ । ସେପଟେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଲୋଭୋଲଟେଜ ସମସ୍ୟା ସହିତ ଅଘୋଷିତ ବିଦ୍ୟୁତ କାଟ ନେଇ ସମସ୍ୟା ଭୋଗୁଛନ୍ତି ଲୋକେ । ଏ ନେଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ତୁରନ୍ତ ଏ ଦିଗରେ ବିଦ୍ୟୁତ ବିଭାଗ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ