ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମନମୁଣ୍ଡା ହେଉଛି ପ୍ରାଚୀନ କାଳରୁ ଏକ ବ୍ୟବସାୟିକ ପେଣ୍ଠସ୍ଥଳ। ମହାନଦୀ ଓ ତେଲ ନଦୀର ସଙ୍ଗମ ସ୍ଥଳରେ ଥିବା ମନମୁଣ୍ଡା ଇତିହାସ ପୃଷ୍ଠାର ଅସୁରଗଡ ସଭ୍ୟତା ଠାରୁ ଆରମ୍ଭ କରି ସ୍ଥାନୀୟ ବାନ୍ଧକଳା ନିମନ୍ତେ ବେଶ ପ୍ରସିଦ୍ଧ। ଆଧୁନିକତାର ବିକାଶ ସାଙ୍ଗକୁ ଗାଡିମୋଟରର ବହୁଳ ବ୍ୟବହାର ଏହି ପ୍ରଗତିଶୀଳ ସ୍ଥାନକୁ ଧିରେ ଧିରେ ସଙ୍କୁଚିତ କରିଥିଲା। ପରିସ୍ଥିତି ଏପରି ହେଲା ଯେ ମୁଖ୍ୟ ବଜାର ଦେଇ ଯାଇଥିବା ରାସ୍ତାରେ ଯିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଲା। ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଏକ ସାଧାରଣ ଘଟଣା ପାଲଟିଲା ।ବହୁବାର ସ୍ଥାନୀୟ ଲୋକଙ୍କ ଦାବୀ ପରେ ସରକାର ଓ ପ୍ରଶାସନ ଚେଇଁ ବାଏପାସ ରାସ୍ତା ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିଲେ ।
ତେବେ ମନମୁଣ୍ଡା ବାଏପାସ ନିର୍ମାଣ ଓ ଜମି ଅଧିଗ୍ରହଣ କାର୍ଯ୍ୟ ଦୀର୍ଘ ତିନି ବର୍ଷ ତଳେ ଆରମ୍ଭ ହୋଇଥିଲା । ତେବେ କାମ ଆରମ୍ଭର କେତେଦିନ ପରେ ହଠାତ ଏହି ବାଏପାସ ରାସ୍ତା ନିର୍ମାଣ କାର୍ଯ୍ୟ ଅନିଶ୍ଚିତତା ଦିଗକୁ ଗତି କରିଛି। କିଛି ଦେବୋତ୍ତର ଜମି ଅଧିଗ୍ରହଣ ଉପରେ ସମସ୍ୟା ଏବଂ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ଦୃଢ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏଥିସହ ଉପଯୁକ୍ତ କ୍ଷତି ପୂରଣ ଅର୍ଥରାଶି ଜମି ଅଧିଗ୍ରହଣର ଅନ୍ୟ ଏକ କାରଣ ବୋଲି କୁହାଯାଇଛି।
ଏନେଇ ମନମୁଣ୍ଡାବାସୀ ବହୁବାର ଆନ୍ଦୋଳନ ତଥା ରାସ୍ତାରୋକ ଭଳି ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ ହୋଇଛି । ଆଉ ଏହାର ପ୍ରଭାବଚଳିତ ନିର୍ବାଚନ ଉପରେ ମଧ୍ୟ ପଡିପାରେ ବୋଲି ମନମୁଣ୍ଡାବାସୀ ଚେତାବନୀ ଦେଇଛନ୍ତି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ