ବୌଦ୍ଧ: ରାଜ୍ୟରେ ଥମିବାର ନାଁ ଧରୁନି ଦୁର୍ଘଟଣା ଜନିତ ମୃତ୍ୟୁ । ଶନିବାର ବୌଦ୍ଧ ଧଳପୁର ଠାରେ ମହାନଦୀ ଉପରେ ନିର୍ମାଣଧୀନ ସେତୁ ଉପରୁ ଖସିପଡି ଝାଡଖଣ୍ଡର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହାସତ୍ତ୍ବେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ନେଇ ଚେତୁନି ଠିକା ସଂସ୍ଥା । ମହାନଦୀ ଉପରେ ଚାଲିଥିବା ମର୍ଜାକୁଦ ଓ ଧଳପୁର ସେତୁ ନିର୍ମାଣ ଅଞ୍ଚଳରେ କାର୍ଯ୍ୟରତ ଶ୍ରମିକମାନେ ପୁଣି ବିନା ହେଲମେଟରେ କାର୍ଯ୍ୟ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।
କାଁ ଭାଁ ଦୁଇଟି ଶ୍ରମିକ ମୁଣ୍ଡରେ ହେଲମେଟ ପିନ୍ଧିଥିବାବେଳେ ଅନ୍ୟ ଶ୍ରମିକଙ୍କ ମୁଣ୍ଡରେ ହେଲମେଟ କିମ୍ବା କୌଣସି ସୁରକ୍ଷା ଉପକରଣ ନାହିଁ । ମର୍ଜାକୁଦ ସେତୁ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ଠିକାସଂସ୍ଥାର କର୍ମଚାରୀମାନେ ମଧ୍ୟ ବିପଦ ଶଙ୍କୁଳ ସ୍ଥାନରେ ବିନା ସୁରକ୍ଷା ଉପକରଣରେ ଉପସ୍ଥିତ ଥିବା ଦେଖାଯାଇଛି । ଧଳପୁର ସେତୁର ସୁରକ୍ଷା ଯନ୍ତ୍ରୀ ମୃତ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଦିଆଯାଇଥିଲା ବୋଲି ସଫେଇ ଦେଇଥିବା ବେଳେ ମର୍ଜାକୁଦ ସେତୁର ଦାୟିତ୍ବରେ ଥିବା କର୍ମଚାରୀ ଶ୍ରମିକଙ୍କୁ ହେଲମେଟ ଦିଆଯାଇଛି ହେଲେ ସେମାନେ ପିନ୍ଧୁ ନାହାନ୍ତି ବୋଲି ଅବାସ୍ତବ ଯୁକ୍ତି ଦର୍ଶାଇଛନ୍ତି ।
ସେପଟେ ବୁଦ୍ଧିଜୀବୀ ମହଲରେ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ଠିକାସଂସ୍ଥା ଓ ଶ୍ରମ ବିଭାଗର ଦାୟିତ୍ବ ହୀନତାକୁ ଦାୟୀ କରି ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେହିପରି ଆଜି ରାଜନପାଲି ଛକଠାରେ ଘଟିଥିବା ସଡକ ଦୁର୍ଘଟଣାରେ ଗୁରୁତର ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ