ବୌଦ୍ଧ: କୋରୋନା ମହାମାରୀ ଠାରୁ ଭୟଙ୍କର ହେଲାଣୀ କିଡନୀ ରୋଗ । ଜିଲ୍ଲାର ତିନୋଟି ବ୍ଲକରେ କିଡନୀ ରୋଗ ଭୟଙ୍କର ରୂପ ଧାରଣ କରି ମୁଣ୍ଡ ପରେ ମୁଣ୍ଡ ନେବାରେ ଲାଗିଛି । କେଉଁଠି ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିର ମୃତ୍ୟୁ ହେଲାଣିତ ପୁଣି କିଏ ପିତାମାତାଙ୍କୁ ହରାଇଲାଣୀ । ଜିଲ୍ଲାର କେବଳ ହରଭଙ୍ଗା ବ୍ଲକରେ ୨୧୨ ଜଣ କିଡନୀ ରୋଗରେ ମୃତ୍ୟୁ ବରଣ କରିସାରିଥିବା ବେଳେ ଏବେ ଅନେକ ଲୋକେ ଏଥିରେ ଆକ୍ତାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । କେତେକ ସ୍ଥାନରେ ସ୍ବାସ୍ଥ୍ୟ ସେବା ପହଞ୍ଚିପାରୁଥିବା ବେଳେ କିଛି ସ୍ଥାନରେ ପହଞ୍ଚି ପାରୁନି ସ୍ବାସ୍ଥ୍ୟ ସେବା । ଫଳରେ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି ଅନେକ ଲୋକ ।
ଜିଲ୍ଲାର ଯୋଗୀନ୍ଦ୍ରପୁର ପଞ୍ଚାୟତର ବାନ୍ଧନଝୁଲି ଗ୍ରାମର ବିଧବା ମହିଳା ଗୃହସତୀଙ୍କ ପୁଅ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଉପଯୁକ୍ତ ଚିକିତ୍ସା ପାଇନଥିବାରୁ ଅଗଷ୍ଟ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଠିକ ବର୍ଷକ ତଳେ ନିଜ ପୁଅର କିଡନୀ ଚିକିତ୍ସା ପାଇଁ ଗୁହାରି କରିଥିଲେ । ହେଲେ ଉପଯୁକ୍ତ ଚିକିତ୍ସା ନମିଳିବାରୁ ଗୃହସତୀଙ୍କ ପୁଅର ମୃତ୍ୟୁ ହୋଇଛି । ସେହିପରି ଗ୍ରାମର ଆଉ ଏକ ପରିବାରର ମୁଖିଆଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଏକମାତ୍ର ନାବାଳିକା ଝିଅ ଅନାଥ ହୋଇପଡିବା ସହ ଅସହାୟ ହୋଇପଡିଛନ୍ତି । ତେବେ ଝିଅଟିକୁ ସରକାରଙ୍କ ଆଶିର୍ବାଦ ଯୋଜନାରେ ସାମିଲ କରାଯିବା ନେଇ ସୂଚନା ମିଳିଛି ।
ତେବେ ବୌଦ୍ଧ ଜିଲ୍ଲା ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢିବା ସହ ଚିକିତ୍ସା ଅଭାବରୁ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି । ତେବେ ଖାଲି ଦେଖିବାକୁ ବାକି ରହିଲା କେବେ ମିଳୁଛି ଉତ୍ତମ ଚିକିତ୍ସା ଓ କେବେ ଏହି ରୋଗ କବଳରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ଲୋକେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ