ବୌଦ୍ଧ: ପାରମ୍ପରିକ ବାଦ୍ୟର ତାଳେ ତାଳେ ଆଦିବାସୀ ନୃତ୍ୟର ଶୋଭାଯାତ୍ରାରେ ସହର ପରିକ୍ରମା କଲା କନ୍ଧ ସମାଜ । କନ୍ଧ ସମ୍ପ୍ରଦାୟକୁ ସରକାର ବିଭିନ୍ନ କ୍ଷେତ୍ରରେ ଅବହେଳା କରୁଥିବା ଅଭିଯୋଗ କରି ଜିଲ୍ଲାର ଶହ ଶହ କନ୍ଧ ଅଧିବାସୀ ଏକତ୍ରିତ ହୋଇ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି । ତେବେ ବୌଦ୍ଧ ଜିଲ୍ଲା ବାର ଭାୟା ବତିଶି କନ୍ଧଙ୍କ ଅଞ୍ଚଳର ଆଦିବାସୀ ଜନଜାତିଙ୍କ ମଧ୍ୟରେ ଏଭଳି ଅସନ୍ତୋଷ ପ୍ରକାଶ ପାଇଛି ।
ଗତକାଲି(ମଙ୍ଗଳବାର) ଜିଲ୍ଲାର କନ୍ଧ ଆଦିବାସୀମାନଙ୍କ ଏକ ବିଶାଳ ସମାବେଶର ଆୟୋଜନ ହୋଇଥିଲା । କଣ୍ଟାମାଳ ଠାରେ ଆୟୋଜିତ କନ୍ଧ ସମାଜର ସମାବେଶରେ ପଶ୍ଚିମ ଓଡ଼ିଶାର ବହୁ କନ୍ଧ ନେତା ଓ ଶହ ଶହ ଅଧିବାସୀ ଯୋଗ ଦେଇଥିଲେ । ପ୍ରଥମେ କଣ୍ଟାମାଳ ଠାରେ କନ୍ଧ ସମ୍ପ୍ରଦାୟର ଇଷ୍ଟଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ଢୋଲ, ନିଷାଣ ତାସାର ତାଳେ ତାଳେ ଆଦିବାସୀମାନେ ନାଚ ଗୀତରେ ସହର ପରିକ୍ରମା କରିଥିଲେ । କନ୍ଧ ସମାଜର ସଭାପତି ଡମ୍ବରୁଧର କହଁରଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ- ଆନ୍ଦୋଳନ ମୁହାଁ ରାଜ୍ୟ ଘରୋଇ ମାଲିକ ସଂଘ, ଆଜି ବିଧାନସଭା ସମ୍ମୁଖରେ ଧାରଣା
ତେବେ ବିଶେଷ ଭାବରେ କନ୍ଧ ସମ୍ପ୍ରଦାୟକୁ ସରକାର ବାରମ୍ବାର ଅଣଦେଖା କରୁଥିବା ନେଇ ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି । ସରକାର ବିଭିନ୍ନ ସମୟରେ ଆଦିବାସୀଙ୍କ ସ୍ବରକୁ ଚପାଇ ଦେବାକୁ ଉଦ୍ୟମ କରି ଆସୁଛନ୍ତି । ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ଆଦିବାସୀ ନେତା ବର୍ତ୍ତମାନ ସରକାରଙ୍କ ଗୁଲାମି କରୁଛନ୍ତି । ଏଥିସହ ସରକାର କନ୍ଧ ଆଦିବାସୀଙ୍କ ଜମି ବିକ୍ରି ଭଳି ଆଇନ କରି ସେମାନଙ୍କର ଜମି ହଡ଼ପ ପାଇଁ ଚକ୍ରାନ୍ତ କରୁଥିବା କନ୍ଧ ସମାଜ ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ ଏନେଇ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ କନ୍ଧ ସମାଜ । ଏନେଇ କନ୍ଧ ସମାଜ ପକ୍ଷରୁ କଣ୍ଟାମାଳ ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।
ଇଟିଭି ଭାରତ, ବୌଦ୍ଧ