ବୌଦ୍ଧ: ପାରିବାରିକ କଳହର କରୁଣ ପରିଣତି । ମଦ୍ୟପ ସ୍ବାମୀ ନେଲା ସ୍ତ୍ରୀର ଜୀବନ । ଆଉ ଅସହାୟ ବୃଦ୍ଧ ଶ୍ବଶୁର ବୋହୂର ମୃତଦେହକୁ ରାତି ତମାମ ଜଗି ରହିଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ବାଘପାଲି ଗ୍ରାମରେ । ଗତକାଲି (ଶୁକ୍ରବାର) ଦିନ ତମାମ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ପରେ ଶେଷରେ ସ୍ତ୍ରୀକୁ ହତ୍ୟା କରି ଫେରାର ହୋଇଯାଇଛି ନରହନ୍ତା ସ୍ବାମୀ । ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ବାଘପାଲି ଗ୍ରାମର ଆଦିବାସୀ ବସ୍ତିରେ ବାସ କରୁଥିବା ଦୁଇ ବୟସ୍କ ଦମ୍ପତ୍ତି ସ୍ବାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ସ୍ତ୍ରୀ କନକଙ୍କ ମଧ୍ୟରେ ଶୁକ୍ରବାର ଦିନ ତମାମ କୌଣସି କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଉଭୟ ମୁଲମଜୁରୀ କରି ଚଳୁଥିବା ବେଳେ ତାଙ୍କ ଦୁଇ ପୁଅ ସୁଦୂର ତାମିଲନାଡୁରେ ଦାଦନ ଖଟିବାକୁ ଯାଇଛନ୍ତି । ଗୋଟିଏ ମାତ୍ର ଝିଅ, ସେ କିଶୋର ନଗର ଥାନା ଅଞ୍ଚଳରେ ବିବାହ କରିଛନ୍ତି । ତେବେ ଗତକାଲି ଦିନ ତମାମ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ସନ୍ଧ୍ୟାରେ ପୂର୍ଣ୍ଣ ସ୍ତ୍ରୀ କନକଙ୍କୁ ହତ୍ୟା କରି ଫେରାର ହୋଇଯାଇଛି । ଅଭିଯୁକ୍ତ ସ୍ବାମୀ ନିଜ ସ୍ତ୍ରୀଙ୍କୁ ତଣ୍ଟି ଚିପି କିମ୍ବା ଅନ୍ୟ କୌଣସି ଉପାୟରେ ହତ୍ୟା କରିଥିବା ସୂଚନା ମିଳିଛି ।
ତେବେ ଗତକାଲି ଠାରୁ ଏଭଳି ଘଟଣା ପରିବାରରେ ଲାଗି ରହିଥିବା ବେଳେ ଅଭିଯୁକ୍ତ ପୂର୍ଣ୍ଣଙ୍କ ବୃଦ୍ଧ ବାପା ଉପାୟଶୂନ୍ୟ ହୋଇ ସମସ୍ତ ଘଟଣାବଳୀକୁ ଅସହାୟ ହୋଇ କେବଳ ଦେଖିବାକୁ ବାଧ୍ୟ ହୋଇଥିଲେ । ଏପରିକି ଗତକାଲି ଠାରୁ ବୃଦ୍ଧ ଜଣଙ୍କ ଭୋକ ଉପାସରେ ନିଜ ବୋହୂର ମୃତ ଶରୀର ନିକଟରେ ଜଗି ରହିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି । ଫେରାର ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ପ୍ରଧାନକୁ ଖୋଜିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ...ନିର୍ଦ୍ଦୟ ମାଆ ! ମାସକର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗ ଏହା ମଧ୍ୟ ପଢ଼ନ୍ତୁ...କଟକ ଡ୍ରାଇଭର ହତ୍ୟା ଘଟଣା, 2 ଅଭିଯୁକ୍ତ ଗିରଫ ଏହା ମଧ୍ୟ ପଢ଼ନ୍ତୁ...ଦମ୍ପତି ବେକରେ ରଶି ଦେଇ ଆତ୍ମହତ୍ୟା ଘଟଣା; କାରଣ ଏବେବି ଅସ୍ପଷ୍ଟ, ପୋଲିସ ତଦନ୍ତ ଆରମ୍ଭ |
ଇଟିଭି ଭାରତ, ବୌଦ୍ଧ