ବୌଦ୍ଧ: ଆସୁଛି ନୂଆଁଖାଇ । ଆଉ ତିନିଦିନ ପରେ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏନେଇ ପୁରପଲ୍ଲୀରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଗଣପର୍ବ ପ୍ରତ୍ୟେକ ବର୍ଷ ଧୁମଧାମରେ ପାଳନ କରାଯାଏ । କିନ୍ତୁ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିରାଡମ୍ବର ଭାବରେ ଏହି ପର୍ବକୁ ପାଳନ କରାଯିବ ବୋଲି ସୂଚନା ମିଳିଛି ।
ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବ୍ଲକର କେତେକ ଗ୍ରାମରେ ଏହି ଗଣପର୍ବର ଏକ ସ୍ବତନ୍ତ୍ରତା ରହିଆସିଛି । କେତେକ ସ୍ଥାନରେ ଏହି ଉତ୍ସବ ସପ୍ତାହେ ବ୍ୟାପୀ ମଧ୍ୟ ପାଳନ କରାଯାଇଥାଏ । ପାରମ୍ପରିକ ନୃତ୍ୟ ସଂଗୀତ ସହ ଅନେକ ଲୁପ୍ତ ପ୍ରାୟ କଳା ଏହି ଅବସରରେ ଦେଖିବାକୁ ମିଳିଥାଏ । ତେବେ ଏହି ନୂଆଁଖାଇ ପାଇଁ ବୌଦ୍ଧର କିଛି କଳାପ୍ରେମୀ ପ୍ରଥମ ଥର ପାଇଁ ସମ୍ବଲପୁରୀ ତାଳରେ ପ୍ରସ୍ତୁତ କରୁଛନ୍ତି ହନୁମାନ ଚାଳିଶା ।
ଢୋଲ, ନିଷାଣ, ତାସାର ଅନୁକ୍ରମ ତଥା ବ୍ୟବହାରରେ ଏଭଳି ଏକ ନିଆରା ପଦକ୍ଷେପ ପାଇଁ ପ୍ରଥମ ଥର ଚେଷ୍ଟା କରାଯାଇଛି । ପୂର୍ବରୁ ଏହାର ସଂଗୀତ ପ୍ରସ୍ତୁତି ହୋଇ ସାରିଥିବା ବେଳେ ବର୍ତ୍ତମାନ ଏହାର ଭିଡିଓ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ