ବୌଦ୍ଧ: ପାହାଡ ଚଢିପାରୁନି ସରକାରଙ୍କ ବିକାଶର ଗାଡି । ଅନେକ ମୌଳିକ ସୁବିଧାରୁ ବଞ୍ଚିତ ୬ ଖଣ୍ଡ ଗ୍ରାମର ଅଧିବାସୀ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶଗଡା ପଞ୍ଚାୟତର ବଣ-ପାହାଡ ଘେରା ଅଞ୍ଚଳ ସିଗାଡି, ବାତେପଙ୍ଗା, ଚୁହୁରାକୋଣ, ମାଳତୀ ଗୋଛାପଡା, ନଳୀକୁପା, ବାରକୁଥୁଲି ଭଳି ଗ୍ରାମରେ ଆଜିପର୍ଯ୍ୟନ୍ତ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଠିକରେ ପହଞ୍ଚି ପାରିନାହିଁ । ଏଥିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ଗମନାଗମନର ଅସୁବିଧା ।
ଭଲ ରାସ୍ତା ଖଣ୍ଡେ ନଥିବାରୁ ଅଞ୍ଚଳକୁ ଆମ୍ବୁଲାନ୍ସ ସେବା ସ୍ବପ୍ନ ହୋଇରହିଛି । ଶଗଡା ପଞ୍ଚାୟତ ସଦର ଠାରୁ ପନ୍ଦରର କୋଡିଏ କିଲୋମିଟର ଦୂରରେ ଥିବା ଏହି ଅଞ୍ଚଳବାସୀ କନ୍ଧ ସମ୍ପ୍ରଦାୟର କୁଇ ଭାଷାଭାଷୀ ହୋଇଥିବାବେଳେ ସାଧାରଣ ଜନଜୀବନ ଠାରୁ ଏମାନେ ବେଶ ଦୂରରେ ଭଳି ମନେହୁଏ ।
ଏନେଇ ଏଠାକାର କୁଇ ସମାଜ ପକ୍ଷରୁ ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳର ଅଧିବାସୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ