ବୌଦ୍ଧ: ବେଆଇନ ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ କପା ଚାଷ ନାଁରେ ଚାଲିଛି ଏହି ସବୁଜ ଜହରର ବ୍ୟବସାୟ । ବର୍ତ୍ତମାନ ଏହି ଗଞ୍ଜେଇ ଅମଳକ୍ଷମ ହୋଇ ଚୋରା ଚାଲାଣ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ଜଣାପଡିଛି । ତେବେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଜିଲ୍ଲା ଅବକାରୀ ସେତେଟା ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି । ଶନିବାର ବୌଦ୍ଧ ପୋଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିକରପଡା ପଞ୍ଚାୟତ ଗୁରୁଜିମୁଣ୍ଡା ଅଞ୍ଚଳରେ ଚଢାଉ କରି ଚାଲାଣ ପାଇଁ ରହିଥିବା ଏକ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି । ଏହାସହ ଦୁଇ ଜଣଙ୍କୁ ଗିରଫ କରିଛି ।
ସେପଟେ, କଣ୍ଟାମାଳ ଅବକାରୀ କର୍ମଚାରୀ ଘଣ୍ଟାପଡା ଅଞ୍ଚଳରେ ଚୋରା ଚାଲାଣ ହେଉଥିବା ଦଶ କେଜି ଗଞ୍ଜେଇ ସହ ଏକ ବାଇକ ଜବତ କରିଛି । ଏହାସହ ଦୁଇ ଜଣ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ଯୁବକ ଦୀର୍ଘ ଦିନ ହେଲା ନିଜକୁ ସାମ୍ବାଦିକ ପରିଚୟ ଦେଇ ଏଭଳି ବେଆଇନ କାରବାର କରୁଥିବା ଚର୍ଚ୍ଚା ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ