ବୌଦ୍ଧ: ପୁଣି ଏକ ବାଲ୍ୟ ବିବାହକୁ ରୋକିଛି ପ୍ରଶାସନ । ଏଥର କିନ୍ତୁ କିଛି ଓଲଟା ଦେଖିବାକୁ ମିଳିଛି । ବାଲ୍ୟବିବାହରେ କନ୍ୟା ନୁହେଁ, ବରଂ ବିବାହ ଯୋଗ୍ୟ ହୋଇନଥିବା ବର ଉଦ୍ଧାର ହୋଇଛି । ଏପରି ଏକ ଘଟଣା ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ବରକୁ ମାତ୍ର 18 ବର୍ଷ ହୋଇ ଥିବାବେଳେ କନିଆଁକୁ 19 ବର୍ଷ । ବିବାହ ପାଇଁ କନିଆଁକୁ ଉପଯୁକ୍ତ ବୟସ ହୋଇଥିଲେ ମଧ୍ୟ ବରକୁ ହୋଇନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଏହି ବିବାହ ଉପରେ ରୋକ ଲଗାଇଛି ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାରେ ବାଲ୍ୟ ବିବାହ ଅତ୍ୟନ୍ତ ଗମ୍ଭୀର ତଥା ଉଦବେଗଜନକ ସ୍ଥିତିରେ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଅଙ୍ଗନବାଡି କର୍ମୀ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମାତ୍ର ଏସବୁ ସତ୍ତ୍ୱେ ବିଭିନ୍ନ କାରଣରୁ ବାଲ୍ୟ ବିବାହ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇ ପାରୁନାହିଁ । ଗତ ମଙ୍ଗଳବାର ବୌଦ୍ଧ ବଘିଆପଡା ଠାରେ ଏଭଳି ଏକ ବାଲ୍ୟବିବାହ ହେଉଥିବା ଖବର ପାଇ ଚାଇଲ୍ଡ ଲାଇନ ଓ ଅନ୍ୟ ବିଭାଗ ପହଞ୍ଚି ବିବାହକୁ ବନ୍ଦ କରିଛି ।
ତେବେ ଏଠାରେ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବରର ବୟସ ହୋଇନଥିବା କାରଣରୁ ଏହାକୁ ବାଲ୍ୟବିବାହ ରୂପେ ପରିଗଣିତ କରାଯାଇଥିଲା । କନିଆଁ ଠୁ ବର ସାନ ଭଳି ଘଟଣା ଜିଲ୍ଲାରେ ପ୍ରଥମ ଥର ପାଇଁ ଘଟିଥିବାରୁ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ବଘିଆପଡା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇ ଥିବାବେଳେ ପଞ୍ଚାୟତ ସଦର ମହକୁମାରେ କିଭଳି ଏହି ବିବାହ ହେଉଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ