ବୌଦ୍ଧ: ଲକଡାଉନ ଓ ସଟଡାଉନ ଯୋଗୁଁ ପ୍ରଭାବିତ କୁମ୍ଭକାର ପରିବାର । କୌଳିକ ବୃତ୍ତିକୁ ଛାଡି ଏବେ ଅନ୍ୟ ବୃତ୍ତି ମୁହାଁ ଏହି ପରିବାର ଗୁଡିକରେ ବୁଧବାର ପୁରା ଉଆଁସ ସତ୍ତ୍ବେ କୌଣସି ଉତ୍ସାହ ଦେଖିବାକୁ ମିଳିନାହିଁ । ରାତିପାହିଲେ ପୁରା ଉଆଁସ ବା ସପ୍ତପୁରୀ ଅମାବାସ୍ୟା । ଏହି ଉତ୍ସବ ପଶ୍ଚିମ ଓଡ଼ିଶାରେ ଧୁମଧାମରେ ପାଳନ କରାଯାଏ ।
ଏଥିରେ ବିଭିନ୍ନ ଧାର୍ମିକ ପୀଠରେ ମାଟିର ଘୋଡା,ହାତୀ,ମାଙ୍କଡ଼, ବଳଦ ଆଦି ପଶୁ ପ୍ରସ୍ତୁତ କରି ପିଲାମାନେ ଦଉଡିରେ ଟାଣିଥାନ୍ତି । ସେହିପରି ଝିଅ ମାନେ ମାଟିର କାଞ୍ଚି କୁଣ୍ଡି ବା ଘରକରଣା ସାମଗ୍ରୀରେ ରବି ଜାତୀୟ ଶସ୍ୟକୁ ଭାଜି ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ଖାଦ୍ୟ ସାମଗ୍ରୀର ଆଦାନ ପ୍ରଦାନ କରାଯାଇଥାଏ ।
ଏହି ପାରମ୍ପରିକ ଉତ୍ସବ ସମୟରେ କୁମ୍ଭକାରମାନେ ଯଥେଷ୍ଟ ବ୍ୟସ୍ତ ରହିଥାନ୍ତି । କିନ୍ତୁ ଚଳିତ ବର୍ଷ କୋରୋନା ଯୋଗୁଁ କୁମ୍ଭକାରମାନେ କୌଣସି ବିବାହ, ଧାର୍ମିକ ପର୍ବ, ଶୁଭ ମାଙ୍ଗଳିକ କାର୍ଯ୍ୟରେ ମାଟି ସାମଗ୍ରୀ ଯୋଗାଇ ପାରିନଥିଲେ । ସେପଟେ ବୁଧବାର ପଶ୍ଚିମ ଓଡିଶାର ଅନ୍ୟତମ ପର୍ବ ପୁରା ଉଆଁସରେ ଆବଶ୍ୟକ ହେଉଥିବା ମାଟିର ହାତୀ, ଘୋଡ଼ା, ମାଙ୍କଡ଼ ସହିତ ମାଟି କାଞ୍ଚିକୁଣ୍ଡି ବିକ୍ରି ଠିକରେ ହୋଇପାରି ନାହିଁ ।
ଏନେଇ କୁମ୍ଭକାରମାନେ ଗଭୀର କ୍ଷୋଭ ପ୍ରକାଶ କରିଥିବାବେଳେ ବୁଦ୍ଧିଜୀବୀ ସରକାର ଏ ସମ୍ପର୍କରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ