ବୌଦ୍ଧ: ପଞ୍ଚାୟତ ଦୁର୍ନୀତି ତଦନ୍ତ ମାମଲାରେ ଟାଳଟୁଳ ନୀତି ଅଭିଯୋଗ । ଏହି ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ବ୍ଲକ ଓ ଡିଆରଡିଏ ଅଧିକାରୀ । ବୌଦ୍ଧ ଜିଲ୍ଲାର ଆବାସ ଠାରୁ ଆରମ୍ଭ କରି ରାସ୍ତା ଘାଟ ପର୍ଯ୍ୟନ୍ତ ସବୁ କାମରେ ଦୁର୍ନୀତି ଚାଲିଥିବା ନେଇ ଚର୍ଚ୍ଚା ଜୋରଧରିଛି ।
ସୋମବାର ରାଜ୍ୟ ସରକାର ଏହି ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଆଣି ହରଭଙ୍ଗା ବିଡିଓଙ୍କୁ ନିଲମ୍ବିତ କରିଥିବା ବେଳେ ମଙ୍ଗଳବାର ଦିନ ତମାମ ଉଭୟ ବୌଦ୍ଧ ଓ ହରଭଙ୍ଗାରେ ଏସମ୍ପର୍କରେ ପ୍ରଶାସନକୁ ନାକେଦମ ହେବାକୁ ପଡିଛି । ବୌଦ୍ଧ ବ୍ଲକର ବହିରା ପଞ୍ଚାୟତରେ ରାସ୍ତା, ନଳକୂପ, ଆବାସ ଆଦିରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଡିଆରଡିଏ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।
ଅଭିଯୋଗ ଅନୁସାରେ ବହିରା ପଞ୍ଚାୟତରେ ପୂର୍ବରୁ ହୋଇଥିବା ଦୁର୍ନୀତିର ତଦନ୍ତ ନାଁରେ ଖୋଦ ବିଡ଼ିଓ ଦୁର୍ନୀତିଗ୍ରସ୍ତଙ୍କୁ ସୁହାଇଲା ଭଳି ରିପୋର୍ଟ ପ୍ରଦାନ କରିଛନ୍ତି । ଏହାର ନିରପେକ୍ଷ ତଦନ୍ତ ପାଇଁ ଅଞ୍ଚଳବାସୀ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ