ବୌଦ୍ଧ: ସକାଳ ପାହିଲେ ବୁଦ୍ଧ ପୂର୍ଣ୍ଣିମା । ଆଉ ସେଥିପାଇଁ ଚଳଚଞ୍ଚଳ ବୌଦ୍ଧ ଧର୍ମର ଅନ୍ୟତମ ପ୍ରାଣକେନ୍ଦ୍ର ବୌଦ୍ଧ ଜିଲ୍ଲା । ବୌଦ୍ଧ ଧର୍ମ ନାମରେ ଏଭଳି ଏକ ବିରଳ ସ୍ଥାନ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ବୌଦ୍ଧ ସ୍ତୁପର ଭଗ୍ନାବଶେଷ ଓ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି । ବୌଦ୍ଧ ଜିଲ୍ଲା ସଦର ମହକୁମାର ରାଜବାଟୀ ସନ୍ନିକଟରେ ରହିଛି ଧ୍ୟାନ ମୁଦ୍ରାରେ ଆସିନ ବୁଦ୍ଧଙ୍କ ପ୍ରତିମା । ବୌଦ୍ଧ ଅଞ୍ଚଳବାସୀ ଏହି ପ୍ରତିମାକୁ ବୁଢାରାଜା ଭାବରେ ଅବିହିତ କରି ସମସ୍ତ ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ ଏଠାରୁ ହିଁ କରିଥାଆନ୍ତି ।
ସେହିପରି ସହରର ପ୍ରାଚୀନ କୀର୍ତ୍ତିରାଜି ରାମେଶ୍ୱର ମନ୍ଦିର ପରିସରରେ ଥିବା ଧ୍ୟାନୀ ବୁଦ୍ଧଙ୍କ ପ୍ରତିମାକୁ କାର୍ତ୍ତିକେୟ ଭାବରେ ପୂଜାର୍ଚ୍ଚନା କରାଯାଇଥାଏ । ସେହିପରି ହରଭଙ୍ଗା ବ୍ଲକର ଶ୍ୟାମସୁନ୍ଦରପୁର ଠାରେ ଥିବା ବୁଦ୍ଧଙ୍କୁ ଝାର ବଉଦିଆ ନାମରେ ପୂଜାର୍ଚ୍ଚନା କରାଯାଉଥିବାବେଳେ ପରଗଳପୁରର ଝରାସାହି ଠାରେ ଥିବା ବୁଦ୍ଧଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ବିଗତ କିଛି ବର୍ଷ ହେଲା ପରଗଳପୁର ଠାରେ ସ୍ଥାନୀୟ ଅଧିବାସୀ ଚନ୍ଦନ ଯାତ୍ରାର ଆୟୋଜନ କରିଆସୁଛନ୍ତି ।
ଏହାଛଡା ଚଳିତ ବର୍ଷ ସୋମବାର ବୁଦ୍ଧ ଜୟନ୍ତୀ ପାଇଁ ସାରା ଜିଲ୍ଲାକୁ ଉତ୍ସବମୁଖର କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପାଇଁ ସ୍ବତନ୍ତ୍ର ସରକାରୀ ଛୁଟି ସରକାର ଘୋଷଣା କରିଛନ୍ତି । ବୁଦ୍ଧ ପୂର୍ଣ୍ଣିମାକୁ କେବଳ ବୌଦ୍ଧ ସହର ମଧ୍ୟରେ ସିମୀତ ନରଖି ତିନି ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ପରଗଳପୁର ଅଞ୍ଚଳରେ ବୌଦ୍ଧ ଧର୍ମାବଲମ୍ବୀ କିମ୍ବା ପର୍ଯ୍ୟଟକଙ୍କ ପାଇଁ କୌଣସି ପ୍ରକାରର ସୁବିଧା ନଥିବାରୁ ସ୍ଥାନୀୟ ଗ୍ରାମବାସୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ